କଏଦୀଙ୍କ ମାନସିକ ସ୍ବାସ୍ଥ୍ୟ ସେବା: ‌କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ  : ଜେଲ୍‌ରେ କଏଦୀଙ୍କ ମଧ୍ୟରେ ଆତ୍ମହତ୍ୟା ବଢ଼ୁଛି। ପରିବାରଠାରୁ ଦୂରରେ ରହିବା ଏବଂ ଜୀବିକା ହରାଇ ଦେବା ସହ ଗହଳିପୂର୍ଣ୍ଣ ଜେଲ୍‌ର ଚାରିକାନ୍ଥ ମଧ୍ୟରେ ରହି କଏଦୀଙ୍କ ଚାପ ବଢ଼ୁଛି ଓ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ‌ଜେଲ୍‌ ମଧ୍ୟରେ କଏଦୀଙ୍କ ମାନସିକ ସ୍ବାସ୍ଥ୍ୟ ସେବା‌ ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏନେଇ ସୁପ୍ରିମକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଛି। ଏହି ପିଆଇଏଲ୍‌ର ଶୁଣାଣି କରି ସୁପ୍ରିମକୋର୍ଟ ଉକ୍ତ ବିଷୟକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ଏନେଇ କେନ୍ଦ୍ର ସରକାର ଏବଂ ରାଜ୍ୟମାନଙ୍କୁ ନୋଟିସ କରିଛନ୍ତି।

ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ଭି ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏନେଇ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ଜବାବ ମାଗିଛନ୍ତି। କୁଶ୍‌ କଲ୍‌ରା ନାମକ ‌ଜଣେ ବ୍ୟକ୍ତି ଏହି ପିଆଇଏଲ୍‌ ଦାଖଲ କରିଥିଲେ। ଦେଶରେ ବିଭିନ୍ନ ରାଜ୍ୟର ମୋଟ୍‌ ୫୬ଟି ଜେଲ୍‌ରୁ ଆର୍‌ଟିଆଇ୍‌ ଦ୍ବାରା ସେ ଖବର ପାଇଥିଲେ ଯେ ଅଧିକାଂଶ ଜେଲ୍‌ରେ ମାନସିକ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ନାହିଁ। ଏହା ୨୦୧୭ ମାନସିକ ସ୍ବାସ୍ଥ୍ୟ ଆଇନର ଧାରା ୧୦୩ (୬)ର ଉଲ୍ଲଂଘନ କରୁଛି। ଆବେଦନକାରୀ କହିଛନ୍ତି, ଜେଲ୍‌ରେ କଏଦୀଙ୍କ ପାଇଁ ଅତି ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି ହେଉଛି। ପରିବାରଠାରୁ ଦୂରରେ ରହି ଅତ୍ୟନ୍ତ ଚାପରେ ଥିବା କଏଦୀଙ୍କ ମାନସିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ଏଥିପ୍ରତି କାହାର ଧ୍ୟାନ ପଡ଼ୁନି। ସେମାନଙ୍କୁ ଚିକିତ୍ସା ମଧ୍ୟ କରାଯାଉନି। ଆବେଦକାରୀ ଉକ୍ତ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିବାପରେ କୋର୍ଟ ସରକାରଙ୍କୁ ନୋଟିସ୍‌ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ନିକଟରେ ପ୍ରକାଶ ପାଇଥିବା ଏନସିଆରବି (ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ) ରିପୋର୍ଟ ଅନୁଯାୟୀ ଜେଲ୍‌ରେ ଆତ୍ମହତ୍ୟା ମାମଲା କ୍ଷେତ୍ରରେ ଦିଲ୍ଲୀ ତୃତୀୟରେ ଥି‌ଲା। ରି‌ପୋର୍ଟ ଅନୁଯାୟୀ ୨୦୧୮ ତୁଳନାରେ ୨୦୧୯ରେ ଜେଲ୍‌ରେ ଅସ୍ବାଭାବିକ ମୃତ୍ୟୁ ୧୦ ପ୍ରତିଶତ ବଢ଼ିଛି। ୨୦୧୯ରେ ଆତ୍ମହତ୍ୟା ସମେତ ଦେଶବ୍ୟାପୀ ସମସ୍ତ ଜେଲ୍‌ରୁ ମୋଟ୍‌ ୧୬୫ଟି ଅସ୍ବାଭାବିକ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର