ମୁମ୍ବାଇ: ପ୍ରଖ୍ୟାତ କବି, ଫିଲ୍ମନିର୍ମାତା, ସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରୀତୀଶ ନନ୍ଦୀଙ୍କର ଆଜି ୭୩ ବର୍ଷ ବୟସରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ଘଟିଛି। ପ୍ରୀତୀଶଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ ଜଣାପଡ଼ିନଥିଲେ ମଧ୍ୟ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ନନ୍ଦୀଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଅନୁପମ ଖେର ଇନଷ୍ଟାଗ୍ରାମ୍‌ରେ ନନ୍ଦୀଙ୍କ ମୃତ୍ୟୁ ଖବର ପୋଷ୍ଟ୍‌ କରି ଶୋକବ୍ୟକ୍ତ କରିଛନ୍ତି। ପ୍ରୀତୀଶଙ୍କର ୨ ଝିଅ ରଙ୍ଗିତା ପ୍ରୀତୀଶ ନନ୍ଦୀ, ଈଶିତା ପ୍ରୀତୀଶ ନନ୍ଦୀ ଏବଂ ପୁଅ କୁଶନ ନନ୍ଦୀ ଅଛନ୍ତି। ପ୍ରୀତୀଶ ନନ୍ଦୀ ଭାରତୀୟ ଗଣମାଧ୍ୟମ ଏବଂ କଳା ସଂସ୍କୃତି କ୍ଷେତ୍ରରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ। ଜଣେ ସାମ୍ବାଦିକ, କବି, ଫିଲ୍ମ ପ୍ରଯୋଜକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି।

Advertisment

ନନ୍ଦୀ ତାଙ୍କ ସାମ୍ବାଦିକତା ଜୀବନରେ ‘ଟାଇମ୍ସ ଅଫ୍‌ ଇଣ୍ଡିଆ’ର ପ୍ରକାଶନ ନିର୍ଦ୍ଦେଶକ ଏବଂ ‘ଦ ଇଲଷ୍ଟ୍ରେଟେଡ୍‌ ୱିକ୍‌ଲି ଅଫ୍‌ ଇଣ୍ଡିଆ’ର ସମ୍ପାଦକ ଥିଲେ। ନନ୍ଦୀ ଫିଲ୍ମ ପ୍ରଯୋଜକ ଭାବେ ମଧ୍ୟ ସୁଖ୍ୟାତି ଅର୍ଜନ କରିଛନ୍ତି। ସେ ‘ପ୍ରୀତୀଶ ନନ୍ଦୀ କମ୍ୟୁନିକେସନ୍ସ’ ପ୍ରତିଷ୍ଠା କରିଥିଲେ ଏବଂ ଏହା ଅଧୀନରେ ସୁର୍‌, କାଣ୍ଟେ, ଝଙ୍କାର ବିଟ୍‌ସ, ଚମେଲି, ହଜାରୋଁ ଖ୍ବାହିଶେଁ ଐସି, ପ୍ୟାର କେ ସାଇଡ୍‌ ଇଫେକ୍ଟସ ଭଳି କେତେକ ପ୍ରସିଦ୍ଧ ଫିଲ୍ମର‌ ସେ ପ୍ରଯୋଜନା କରିଛନ୍ତି। ପ୍ରୀତୀଶ ନନ୍ଦୀ ୧୯୯୮‌ରେ ମହାରାଷ୍ଟ୍ରରୁ ରାଜ୍ୟସଭାକୁ ଶିବସେନା ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ।