ଘରୋଇ ଡାକ୍ତରଖାନାଗୁଡିକ କୋଭିଡ ଟିକା ମୂଲ୍ୟଠାରୁ ଅଧିକ ୧୫୦ ଟଙ୍କା ସେବା ଶୁଳ୍କ ଭାବରେ ଆଦାୟ କରିପାରିବେ: କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ କୋଭିଡ-୧୯ ଟିକାର ସତର୍କତାମୂଳକ ତୃତୀୟ ଡୋଜ୍‌ ବା ବୁଷ୍ଟର ଡୋଜ୍‌ ରୋଲଆଉଟ୍‌ ଘୋଷଣା କରିବାର ଗୋଟିଏ ଦିନ ପରେ ଶନିବାର କହିଛି ଯେ ଟିକା ମୂଲ୍ୟ ଉପରେ ସେବା ଚାର୍ଜ ଭାବରେ ଘରୋଇ କ୍ଲିନିକ୍‌ ଡୋଜ୍‌ ପିଛା ସର୍ବାଧିକ ୧୫୦ ଟଙ୍କା ଆଦାୟ କରିପାରିବେ। ସତର୍କତାମୂଳକ ଡୋଜ୍‌ର ମୂଲ୍ୟ ପ୍ରଥମ ଡୋଜ୍‌ ମୂଲ୍ୟ ସହିତ ସମାନ ହେବ ବୋଲି ମଧ୍ୟ କୁହାଯାଇଛି।

ଦେଶର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟିକା ଖର୍ଚ୍ଚଠାରୁ ଟୀକାକରଣ ପାଇଁ ସେବା ଚାର୍ଜ ଭାବରେ ଘରୋଇ ଟିକା କେନ୍ଦ୍ରଗୁଡ଼ିକ ଡୋଜ୍‌ ପିଛା ସର୍ବାଧିକ ୧୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରିବେ।

ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଘୋଷଣା କରଥିଲେ ଯେ ୧୮ ବର୍ଷରୁ ଅଧିକ ବୟସ ଗୋଷ୍ଠୀର ସମସ୍ତେ ଟିକାର ଦ୍ୱିତୀୟ ଡୋଜ୍‌ ପାଇବାର ନଅ ମାସ କିମ୍ବା ୩୯ ସପ୍ତାହ ପରେ ଏପ୍ରିଲ ୧୦ରୁ ସତର୍କତାମୂଳକ ତୃତୀୟ ଡୋଜ୍‌ ପାଇଁ ଯୋଗ୍ୟ ହେବେ।

ଭୂଷଣ ଶନିବାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସତର୍କତା ଡୋଜ୍‌ ପାଇଁ କୌଣସି ନୂତନ ପଞ୍ଜୀକରଣ ଆବଶ୍ୟକ ହେବ ନାହିଁ। କାରଣ ସମସ୍ତ ଉପଯୁକ୍ତ ହିତାଧିକାରୀ ପୂର୍ବରୁ କୋୱିନ୍‌ ପ୍ଲାଟଫର୍ମରେ ପଞ୍ଜିକୃତ ହୋଇସାରିଛନ୍ତି। ତେବେ, ସମସ୍ତ ଟିକାକରଣ ବାଧ୍ୟତାମୂଳକ ଭାବରେ କୋୱିନ୍‌ରେ ରେକର୍ଡ କରାଯିବ। ଏବଂ ଘରୋଇ କୋଭିଡ୍‌ ଟିକାକରଣ କେନ୍ଦ୍ରରେ ଅନଲାଇନ୍‌ ବୁକିଂ ଏବଂ ୱାକ୍‌-ଇନ୍‌ ପଞ୍ଜିକରଣ ଏବଂ ଟିକାକରଣର ଉଭୟ ବିକଳ୍ପ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର