ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ରୋଡ୍‌ସୋ’

ଟ୍ବିଟରରେ ଯୋଗଦେଲେ:୧୫ ମିନିଟ୍‌ରେ ୫,୦୦୦ରୁ ଅଧିକ ଅନୁଗାମୀ

ଲକ୍ଷ୍ନୌ: କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ ହେବାର ୨ ସପ୍ତାହ ପରେ ପିୟଙ୍କା ଗାନ୍ଧୀ ଆଜି ଲକ୍ଷ୍ନୌରେ ଏକ ବଡ଼ ଧରଣର ରୋଡ୍‌ ସୋ’ କରିଛନ୍ତି। ଏହି ରୋଡ୍‌ ସୋ’ ଜରିଆରେ ସେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଏକ ପ୍ରକାର ପ୍ରଚାର ମଧ୍ୟ ଆରମ୍ଭ କରିଦେଇଛନ୍ତି। ଆଜିର ରୢାଲିରେ କଂଗ୍ରେସ ସଭାପତି ତଥା ଭାଇ ରାହୁଲ ଗାନ୍ଧୀଙ୍କ ସମେତ ଉତ୍ତର ପ୍ରଦେଶ ପଶ୍ଚିମାଞ୍ଚଳ ଦାୟିତ୍ବ ନେଇଥିବା ଦଳର ଅନ୍ୟତମ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ଉତ୍ତର ପ୍ରଦେଶ ପିସିସି ମୁଖ୍ୟ ରାଜ ବବ୍ବର ପ୍ରମୁଖ ମଧ୍ୟ ଏହି ରୋଡସୋ’ରେ ଯୋଗଦେଇଥିଲେ। ଏକ ସୁସଜ୍ଜିତ ଟ୍ରକରେ ସେମାନଙ୍କୁ ରୋଡ ସୋ’ରେ ନିଆଯାଇଥିଲା। ପ୍ରିୟଙ୍କା ହାଲକା ସବୁଜ ରଙ୍ଗର କୁର୍ତ୍ତା ଓ ପାଇଜାମା ପିନ୍ଧିଥିଲେ। ୪୭ ବର୍ଷୀୟା ପ୍ରିୟଙ୍କାଙ୍କ ପାଇଁ ଯଦିଓ ରୋଡ୍‌ ସୋ’ ନୂଆ ନୁହେଁ ତଥାପି ଭାଇ ରାହୁଲ ଓ ମା ସୋନିଆଙ୍କ ନିର୍ବାଚନ ମଣ୍ଡଳୀ ବାହାରେ ପ୍ରିୟଙ୍କାର ଏହା ଥିଲା ପ୍ରଥମ ରୋଡ ସୋ’। ଲକ୍ଷ୍ନୌ ସହରର ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡ଼ିକ ଦେଇ ପ୍ରିୟଙ୍କାଙ୍କ ରୋଡ ସୋ’ ପ୍ରାୟ ୨୦ କିମି ଯାଇଥିଲା। ରୋଡ ସୋ’ ପରେ ରାହୁଲ ଲକ୍ଷ୍ନୌର ପିସିସି କାର୍ଯ୍ୟାଳୟ ନିକଟରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ।

ନୂଆଦିଲ୍ଲୀ, : କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ତାଙ୍କ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲ୍‌ ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଟ୍ବିଟର୍‌ରେ ଯୋଗ ଦେବାର ମାତ୍ର ୧୫ ମିନିଟ୍‌ ମଧ୍ୟରେ ତାଙ୍କ ଅନୁଗାମୀଙ୍କ ସଂଖ୍ୟା ୫,୦୦୦ରୁ ଅଧିକ ଟପି ଯାଇଥିଲା। ତେବେ ପ୍ରଥମ ଗୋଟିଏ ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କୁ ୨୫,୦୦୦ ଅନୁଗାମୀ ଫଲୋ କରିଥିବା ଜଣାପଡ଼ିଛି। ଯଦିଓ ପ୍ରିୟଙ୍କା ଆଜି ଟ୍ବିଟର୍‌ରେ ଯୋଗ ଦେବାର ପ୍ରଥମ ଦିନରେ କୌଣସି ଟ୍ବିଟ୍‌ ପୋଷ୍ଟ୍‌ କରିନାହାନ୍ତି ସେ କିନ୍ତୁ ଟ୍ବିଟରରେ ୭ ଜଣଙ୍କୁ ଫଲୋ କରିଛନ୍ତି। ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ଦଳୀୟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ରଣଦୀପ ସୂର୍ଯ୍ୟେୱାଲା, ଅହମ୍ମଦ ପଟେଲ, ଅଶୋକ ଗେହଲଟ ଏବଂ ସଚିନ ପାଇଲଟ୍‌ଙ୍କୁ ପ୍ରିୟଙ୍କା ଆଜି ଟ୍ବିଟରରେ ଫଲୋ କରିଛନ୍ତି।

ସମ୍ବନ୍ଧିତ ଖବର