‘ପିତାଙ୍କ ହତ୍ୟାକାରୀକୁ ମୁଁ ଏବଂ ପ୍ରିୟଙ୍କା କ୍ଷମା କରି ଦେଇଛୁ’: ରାହୁଲ ଗାନ୍ଧୀ

କୁଆଲା ଲମ୍ପୁର: ‘ଆମ ପିତା ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ ମୁଁ ଏବଂ ମୋ ଭଉଣୀ ପ୍ରିୟଙ୍କା ସଂପୂର୍ଣ୍ଣ ରୂପେ କ୍ଷମା କରି ଦେଇଛୁ’ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ‘ପିତାଙ୍କ ହତ୍ୟା ଘଟଣା ଆମକୁ ଗଭୀର ଆଘାତ ଦେଇଥିଲା। ଆମେ ଅନେକ ବର୍ଷ ପର୍ଯ୍ୟନ୍ତ ଦୁଃଖରେ ରହଥିଲୁ। ଏହି ଘଟଣା ଆମକୁ ଅନେକ ମାତ୍ରାରେ ଉତ୍ତ୍ୟକ୍ତ ବି କରିଥିଲା। ହେଲେ କୌଣସି ପ୍ରକାରେ ଆମେ ନିଜକୁ ସମ୍ଭାଳି ନେଇଛୁ ଓ ପିତାଙ୍କ ହତ୍ୟାକାରୀକୁ ସଂପୂର୍ଣ୍ଣ ରୂପେ କ୍ଷମା ଦେଇ ଦେଇଛୁ’।


ଦକ୍ଷିଣପୂର୍ବ ଏସିଆ ଅଞ୍ଚଳକୁ ଏକ ପାଞ୍ଚ ଦିନିଆ ଗସ୍ତରେ ଯାଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର ଦିନ ସିଙ୍ଗାପୁର ଠାରେ କହିଛନ୍ତି ଯେ ଆମେ ଜାଣିଥିଲୁ ଆମ ପିତା ମୁତ୍ୟୁବରଣ କରିବାକୁ ଯାଉଛନ୍ତି। ଆମେ ମଧ୍ୟ ଜାଣିଥିଲୁ ଆମ ଜେଜେମା’ ମୁତ୍ୟୁମୁଖରେ ପଡ଼ିବାକୁ ଯାଉଛନ୍ତି। ରାଜନୀତିରେ କିଛି ଖରାପ ଶକ୍ତି ଅଛନ୍ତି, ଯେଉଁମାନେ ନଜରକୁ ଆସି ନଥାନ୍ତି। ସମୟକ୍ରମେ ଏହି ଶକ୍ତି ବହୁତ ବଡ଼ ହୋଇଥାନ୍ତି ଓ ଅନ୍ୟକୁ କ୍ଷତି ପହଞ୍ଚାଇ ଥାଆନ୍ତି ବୋଲି କହିଛନ୍ତି ରାହୁଲ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୯୧ ମସିହା ମେ ୨୧ ତାରିଖରେ ଏକ ନିର୍ବାଚନୀ ର‍୍ୟାଲିରେ ଯୋଗଦେବାକୁ ଯାଇଥିବା ବେଳେ ଶ୍ରୀଲଙ୍କାର ଆତଙ୍କବାଦୀ ଏଲ୍‌ଟିଟିର ଦୁଇ ମାନବ ବୋମା ଦ୍ୱାରା ଆତ୍ମଘାତୀ ହାମ୍‌ଲାର ଶିକାର ହୋଇ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ।
ସେହିପରି ନିଜ ଜେଜେମା’ଙ୍କ କଥା ମନେ ପକାଇ ରାହୁଲ କହିଛନ୍ତି, ‘ଯେତେବେଳେ ମୋ ଜେଜେମା’ଙ୍କୁ ହତ୍ୟା କରାଗଲା, ସେତେବେଳେ ମୋତେ ମାତ୍ର ୧୪ ବର୍ଷ ବୟସ ହୋଇଥିଲା। ମୋ ଜେଜେମା’ଙ୍କୁ ଯେଉଁମାନେ ହତ୍ୟା କଲେ ସେମାନଙ୍କ ସହ ମୁଁ ବ୍ୟାଡ୍‌ମିଣ୍ଟନ ଖେଳୁଥିଲି। ଏହାପରେ ମୋ ବାପାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ବୋଲି ଆବେଗପ୍ଲୁତ ଭାବେ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ।

ସମ୍ବନ୍ଧିତ ଖବର