ଉପସ୍ଥାପକଙ୍କୁ ଠିକ କରିବାକୁ ଯାଇ ନିଜେ ଭୁଲ କରିଦେଲେ ପ୍ରିୟଙ୍କା, ଆରଆରଆରକୁ ତାମିଲ ଫିଲ୍ମ କହି ଟ୍ରୋଲ ହେଲେ

ମୁମ୍ବାଇ: ଦି‌ନେ ବଲିଉଡର ‘ଦେଶୀ ଗର୍ଲ’ ହୋଇ କୋଟି କୋଟି ଲୋକଙ୍କ ହୃଦୟର ଜିତିଥିବା ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ହଲିଉଡରେ ଏକ ବଡ ନାଁ ଅର୍ଜନ କରିଛନ୍ତି। ଦେଶୀ ଗର୍ଲରୁ ଗ୍ଲୋବାଲ ଷ୍ଟାର ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ ଯାତ୍ରା ଚମତ୍କାର ଥିଲା ନିଶ୍ଚୟ। ତେବେ ପ୍ରିୟଙ୍କା ବଲିଉଡ ଛାଡିବା ପଛର କାରଣ କହିବା ପରଠାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପଡକାଷ୍ଟ ସୋ’ ଆର୍ମଚେୟର ଏକ୍ସପର୍ଟରେ ଉପସ୍ଥାପକ ଡାକ୍ସ ଶେପର୍ଡ ପ୍ରିୟାଙ୍କାଙ୍କୁ ବଲିଉଡ ଛାଡିବା ପଛର କାରଣ, ହଲିଉଡରେ ନିଜ କ୍ୟାରିୟର ଓ ସ୍ବାମୀ ନିକ୍ ଜୋନସଙ୍କ ବିଷୟରେ ପଚରାଯାଇଥିଲା।

ଏହା ପରେ ଡାକ୍ସ ଶେପର୍ଡ ନିଜ ପଡକାଷ୍ଟ ସୋ’ରେ ବଲିଉଡ ଏବଂ ହଲିଉଡ ମଧ୍ୟରେ ତୁଳନା କରି କହିଥିଲେ ଯେ, ଏବେର ବଲିଉଡ ୧୯୫୦ମସିହାର ହଲିଉଡ ସହିତ ସମାନ। ସେତେବେଳେ ଯେମିତି କିଛି ତାରକା ଏବଂ ବଡ ଷ୍ଟୁଡିଓ ସବୁକିଛି ନିୟନ୍ତ୍ରଣ କରୁଥିଲେ ଏବେ ବଲିଉଡରେ ସେଭଳି ଚାଲିଛି। ପ୍ରିୟଙ୍କା ଏଥି‌ରେ କିଛି ମାତ୍ରାରେ ସହମତ ହେବା ସହ କହିଥିଲେ ଯେ, ବଲିଉଡ ବର୍ତ୍ତମାନ ବିକଶିତ ହୋଇଛି। ପ୍ରିୟଙ୍କାଙ୍କ ଏଭଳି କଥା ଶୁଣି ଡାକ୍ସ ‘ଆରଆରଆର’ ଫିଲ୍ମର ଉଦାହରଣ ଦେଇଥିଲେ। ଏହା ଶୁଣି ପ୍ରିୟଙ୍କା କହିଥିଲେ ଆରଆରଆର ବଲିଉଡ ଫିଲ୍ମ ନୁହେଁ, ଏହା ତାମିଲ ଫିଲ୍ମ।

ପ୍ରିୟଙ୍କା ଏଭଳି ଭୁଲ ‘ଆରଆରଆର’ ପ୍ରଶଂସକଙ୍କୁ ପସନ୍ଦ ଆସି ନାହିଁ। ପ୍ରିୟଙ୍କାଙ୍କ ଏହି ଭୁଲ ପାଇଁ ଏବେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଏହା ଏକ ତେଲୁଗୁ ଫିଲ୍ମ। ସ୍ମାର୍ଟ ହୁଅ, ଓଭରସ୍ମାର୍ଟ ନୁହଁ।

ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ଆରଆରଆର ତାମିଲ ଫିଲ୍ମ ନୁହେଁ ଏହା ଏକ ତେଲୁଗୁ ଫିଲ୍ମ । ‌କେବେ ଉତ୍ତର ଭାରତୀୟମାନେ ଜାଣିବେ ଯେ ଦକ୍ଷିଣ ଭାରତରେ ୫ଟି ରାଜ୍ୟ ଅଛି।

ସମ୍ବନ୍ଧିତ ଖବର