ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ଦେବ। କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଜି ଏହି ବଡ଼ ଘୋଷଣା କରିଛନ୍ତି। ଏହା ସହିତ ପ୍ରିୟଙ୍କା ୟୁପି(ଉତ୍ତରପ୍ରଦେଶ) ନିର୍ବାଚନ ପାଇଁ ଏକ ନୂଆ ସ୍ଲୋଗାନ ଦେଇଛନ୍ତି- 'ଲଡକୀ ହୁଁ, ଲଡ ସକତୀ ହୁଁ'(ମୁଁ ଝିଅ, ମୁଁ ଲଢ଼ିପାରିବି) | ଅତୀତରେ ଉତ୍ତରପ୍ରଦେଶରେ ମହିଳାଙ୍କ ପ୍ରତି ହୋଇଥିବା ଅପରାଧର କିଛି ଘଟଣା ବିଷୟରେ ଉଲ୍ଲେଖ କରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ରାଜନୀତିରେ ଯୋଗଦେବାକୁ ଏବଂ ସେମାନଙ୍କ ଅଧିକାର ପାଇଁ ଲଢ଼ିବାକୁ ପ୍ରିୟଙ୍କା ଆହ୍ୱାନ ଦେଇଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ସାରା ଦେଶରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ପାଇଁ ଏକଜୁଟ ହେବାକୁ ପଡ଼ିବ।
ଯେତେବେଳେ ଜଣେ ମହିଳା ନିଜର ଅଧିକାର ପାଇଁ ଲଢ଼ନ୍ତି, ତାଙ୍କୁ ପ୍ରଶ୍ନ କରିବା ପରିବର୍ତ୍ତେ, ତାଙ୍କ ପାଖରେ ଠିଆ ହେବା ଉଚିତ୍ | ସେ କହିଛନ୍ତି ଯେ ମୁଁ ଯେତେବେଳେ ୨୦୧୯ରେ ଉତ୍ତରପ୍ରଦେଶ ଆସିଥିଲି, ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଝିଅମାନେ ମୋତେ କହିଥିଲେ ଯେ ପୁଅ ଏବଂ ଝିଅମାନଙ୍କ ପାଇଁ ଭିନ୍ନ ନିୟମ ଅଛି | ହାଥରସ ଘଟଣା, ଉନ୍ନାଓ ଘଟଣା, ଲଖିମପୁର ଘଟଣା ସହ ପ୍ରିୟଙ୍କା ୟୁପିର ଆଉ କିଛି ଘଟଣା ବିଷୟରେ ଉଲ୍ଲେଖ କରି ମହିଳାମାନଙ୍କୁ ସେମାନଙ୍କର ଅଧିକାରର ସୁରକ୍ଷା ପାଇଁ ଆଗକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି |
ସେହିପରି ଏକ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଯୋଗ୍ୟତା ଆଧାରରେ କଂଗ୍ରେସ ମହିଳାମାନଙ୍କୁ ଟିକେଟ୍ ଦେବ। ସେମାନେ କେତେ କାମ କରୁଛନ୍ତି? ଗୋଟିଏ ଅଞ୍ଚଳର କେତେଜଣ ଲୋକ ତାଙ୍କୁ ଜାଣନ୍ତି, ଏସବୁ ଆଧାର ହେବ | ମହିଳାମାନଙ୍କୁ ପ୍ରିୟଙ୍କା କହିଛନ୍ତି ଯେ ଆପଣଙ୍କ ଅଧିକାର ପାଇଁ ଆପଣଙ୍କୁ ଲଢ଼ିବାକୁ ପଡିବ, ଆପଣଙ୍କ ପାଇଁ ଆଉ କେହି ଆସିବେ ନାହିଁ। ତୁମକୁ ଆଗକୁ ଆସିବାକୁ ପଡିବ |