କରୋନା ପଜିଟିଭ ହେଲେ ରବର୍ଟ ଭଦ୍ରା, ହୋମ ଆଇସୋଲେସନରେ ରହିଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା କରୋନା ସଂକ୍ରମିତ ହୋଇଛନ୍ତି। ରବର୍ଟ ଭଦ୍ରା କରୋନା ପଜିଟିଭ୍ ପରେ ପ୍ରିୟଙ୍କା ଗାନ୍ଧୀ ହୋମ ଆଇସୋଲେସନରେ ଅଛନ୍ତି | ପ୍ରିୟଙ୍କା ମଧ୍ୟ ତାଙ୍କ କରୋନା ପରୀକ୍ଷା କରିଥିବାବେଳେ ରିପୋର୍ଟ ନେଗେଟିଭ ଆସିଛି | ତେବେ ବର୍ତ୍ତମାନ ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଚାଲିଛି। କିଛି ଦିନ ତଳେ ପ୍ରିୟଙ୍କା ଗାନ୍ଧୀ ଏହି ରାଜ୍ୟ ଗସ୍ତରେ ଯାଇଥିଲେ ।

ଶୁକ୍ରବାର ଦିନ ମଧ୍ୟ ସେ ନିର୍ବାଚନ ପ୍ରଚାର ପାଇଁ ଯିବାର ଥିଲା। ତେବେ ଏବେ ହୋମ ଆଇସୋଲେସନରେ ଥିବାରୁ ସେ ନିର୍ବାଚନ ପ୍ରଚାର ପାଇଁ ଯିବେ ନାହିଁ | ଏକ ଭିଡିଓ ରିଲିଜ୍ କରି ସେ ଲୋକମାନଙ୍କ ନିକଟରେ କ୍ଷମା ମଧ୍ୟ ମାଗିଛନ୍ତି। ପ୍ରିୟଙ୍କା ଟ୍ୱିଟ୍ କରି ଲେଖିଛନ୍ତି- ‘କରୋନା ଯୋଗୁଁ ମୋତେ ଆସାମ ଯାତ୍ରା ବାତିଲ କରିବାକୁ ପଡିବ। ମୋର ରିପୋର୍ଟ ନେଗେଟିଭ ଆସିଛି କିନ୍ତୁ ଡାକ୍ତରଙ୍କ ପରାମର୍ଶରେ ମୁଁ ଆଗାମୀ କିଛି ଦିନ ପାଇଁ ଅଲଗା ରହିବି | ଏହି ଅସୁବିଧା ପାଇଁ ମୁଁ ଆପଣଙ୍କୁ କ୍ଷମା ମାଗୁଛି’ |

ସୂଚନା ଥାଉ କି ଗତ ବର୍ଷ ସେପ୍ଟେମ୍ବରରେ ପ୍ରିୟଙ୍କା ଗାନ୍ଧୀ ହୋମ କ୍ଵାରେଣ୍ଟିନରେ ଥିଲେ | ସେତେବେଳେ ତାଙ୍କ ରୋଷେୟା କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଥିବାରୁ ସେ ୧୪ ଦିନ ପାଇଁ କ୍ଵାରେଣ୍ଟିନ ଥିଲେ |

ସମ୍ବନ୍ଧିତ ଖବର