ନିର୍ବାଚନ ଲଢ଼ିବେ ନାହିଁ ପ୍ରିୟଙ୍କା ଗାନ୍ଧୀ, ବାରଣାସୀରୁ ମୋଦୀଙ୍କୁ ଟକ୍କର ଦେବେ ଅଜୟ ରାଏ

ନୂଆଦିଲ୍ଲୀ : କିଛି ଦିନ ହେଲାଣି ବାରଣାସୀରୁ ମୋଦୀଙ୍କୁ କିଏ ଟକ୍କର ଦେବ, ସେ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସେହି ଚର୍ଚ୍ଚାର ଅବସାନ ଘଟିଛି । ପ୍ରଥମେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମୋଦୀଙ୍କ ବିପକ୍ଷରେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସ ଅଜୟ ରାଏଙ୍କୁ ପ୍ରାର୍ଥୀ କରିଥିବା ଜଣା ପଡ଼ିଛି । ଅଜୟ ରାଏ ଏବେ ବାରଣାସୀର କଂଗ୍ରେସ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ । ଏହା ସହ ଗୋରଖପୁରରୁ କଂଗ୍ରେସ ମଧୁସୁଦନ ତିଓ୍ଵାରିଙ୍କୁ ବିଜେପି ପ୍ରାର୍ଥୀ ତଥା ଅଭିନେତା ରବି କିସନଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢ଼ାଇବ ବୋଲି ଘୋଷଣା କରିଛି । ୨୦୧୪ରେ ମଧ୍ୟ ଅଜୟ ରାଏ ମୋଦୀଙ୍କ ବିପକ୍ଷରେ ଲୋକସଭା ନିର୍ବାଚନ ଲଢ଼ିଥିଲେ ବୋଲି ଜଣା ପଡ଼ିଛି ।

indiatoday.in

ସୂଚନା ମୁତାବକ, ବାରଣାସୀରୁ ମୋଦୀଙ୍କ ବିପକ୍ଷରେ କିଏ ନିର୍ବାଚନ ଲଢ଼ିବ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ମୋତେ ଯଦି ଦଳର ଅଧ୍ୟକ୍ଷ କହିବେ, ତେବେ ମୁଁ ନିର୍ବାଚନ ଲଢ଼ିବି ବୋଲି କହିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଅନ୍ୟ ପକ୍ଷରେ, ଏ ନେଇ ରାହୁଲ ଗାନ୍ଧୀଙ୍କୁ ପଚରାଯିବା ପରେ, ଯଦି ପ୍ରିୟଙ୍କା ଚାହାନ୍ତି ତେବେ ସେ ନିର୍ବାଚନ ଲଢ଼ି ପାରିବେ ବୋଲି କହିଥିଲେ ରାହୁଲ । ତେବେ କିଏ ପ୍ରାର୍ଥୀ ହେବ ସେ ନେଇ ଆଲୋଚନା ହେବା ପରେ ଏବେ ଅଜୟ ରାଏଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ସମ୍ବନ୍ଧିତ ଖବର