ନୂଆଦିଲ୍ଲୀ: କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଜି ପୁଣି ଥରେ ଉତ୍ତରପ୍ରଦେଶ ଯିବା ପୂର୍ବରୁ ଅଟକାଇ ଦେଇଛି ପୁଲିସ। ପୁଲିସ୍ ହାଜତରେ ଥିବାବେଳେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପରିବାରବର୍ଗକୁ ଭେଟିବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଉତ୍ତରପ୍ରଦେଶର ଆଗ୍ରା ଅଭିମୁଖେ ଯାତ୍ରା କରୁଥିବା ବେଳେ ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ଥିବା ପ୍ରଥମ ଟୋଲ ପ୍ଲାଜା ନିକଟରେ ତାଙ୍କୁ ଅଟକା ଯାଇଥିଲା।
କଂଗ୍ରେସ ଅଭିଯୋଗ କରିଛି ଯେ ୟୁପି ସରକାର ପ୍ରଥମେ ଚଳିତ ମାସ ପ୍ରାରମ୍ଭରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଲଖିମପୁର ଖେରି ଘଟଣାରେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ ଦେଖା କରିବାରୁ ରୋକିବା ପାଇଁ ଅଟକ ରଖିଥିଲେ। ବର୍ତ୍ତମାନ ତାଙ୍କୁ ପୁଲିସ୍ ହାଜତରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଉଥିବା ବେଳେ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଭାବେ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ଅପରପକ୍ଷେ ଉତ୍ତରପ୍ରଦେଶ ପୁଲିସ କହିଛି ଯେ ଶ୍ରୀମତୀ ଗାନ୍ଧୀ ଭଦ୍ରାଙ୍କୁ ଅଟକାଇ ଦିଆଯାଇଥିଲା କାରଣ ତାଙ୍କ ପାଖରେ ଯାତ୍ରା ନିମନ୍ତେ ଆବଶ୍ୟକ ଅନୁମତି ପତ୍ର ନଥିଲା।
ତେବେ, ଏହି ଘଟଣାକୁ କେନ୍ଦ୍ରକରି ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ କଂଗ୍ରେସ କର୍ମୀ ଓ ୟୁପି ପୁଲିସ୍ ମୁହାଁମୁହିଁ ହୋଇଛନ୍ତି। ଦେଶ ଭିତରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ପାଇଁ ଅନୁମତି ପତ୍ର ବାଧ୍ୟତାମୂଳକ ବୋଲି ଦେଶର କେଉଁ ଆଇନ୍ରେ ଉଲ୍ଲେଖ ଅଛି ବୋଲି ସେଠାରେ ଉପସ୍ଥିତ ପୁଲିସ୍ ଅଧିକାରୀଙ୍କୁ ପଚାରିବା ସହ ଏହି ଘଟଣାର ପ୍ରତିବାଦ କରି ଘଟଣାସ୍ଥଳରେ ଧାରଣାରେ ବସିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Priyanka-2.jpg)