ନୂଆଦିଲ୍ଲୀ: ଉତ୍ତରପ୍ରଦେଶ (ପୂର୍ବ)ର ଦାୟିତ୍ୱରେ ଥିବା କଂଗ୍ରେସର ନବନିଯୁକ୍ତ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଦଳ ପାଇଁ ତାଙ୍କର ପ୍ରଚାର ଅଭିଯାନ ଆସନ୍ତା ୧୮ ତାରିଖ ଦିନ ଉତ୍ତରପ୍ରଦେଶ ବରାଣାସୀର ପ୍ରୟାଗରାଜରୁ ଆରମ୍ଭ କରିବେ। ଏଥିସହ ଗଙ୍ଗାରେ ନୌବିହାର କରିବା ସହ ପ୍ରିୟଙ୍କା ଗଙ୍ଗା କୂଳରେ ଥିବା ଗ୍ରାମଗୁଡ଼ିକର ଗ୍ରାମବାସୀଙ୍କୁ ମଧ୍ୟ ସିଧାସଳଖ ଭେଟିବେ।
ତେବେ, ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିବା ପୂର୍ବରୁ ତାଙ୍କ ଅଣଅଜା ନେହରୁଙ୍କ ପୈତୃକ ବାସଭବନ ‘ଆନନ୍ଦ ଭବନ’ ପରିଦର୍ଶନ କରିବା ସହ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପ୍ରଥମ ଦଫାର ଏହି ପ୍ରଚାର ଅଭିଯାନ କାଳରେ ମାର୍ଚ୍ଚ ୧୮ ତାରିଖରୁ ୨୦ ତରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ଅବସ୍ଥାନ କରିବା ସହ ଦଳ ଓ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଏଥିସହ ଲକ୍ଷ୍ନୌ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ବୈଠକରେ ପ୍ରିୟଙ୍କା ଦଳର ନିର୍ବାଚନୀ ରଣନୀତି ସଂପର୍କରେ ମଧ୍ୟ ଆଲୋଚନା କରିବେ। ଏବଂ ଉତ୍ତରପ୍ରଦେଶରେ ବିରୋଧୀ ବିଜେପି ଏବଂ ସମାଜବାଦୀ ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ବିରୋଧରେ କିପରି ରଣନୀତି ଆପଣାଇବେ ତା’ର ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିବେ। ପ୍ରଥମ ଦଫାର ପ୍ରଚାର ଅଭିଯାନ ସାରି କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ୨୦ ତାରିଖରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।