ଟୁଇଟରରେ ଆସିବା ପରେ ପ୍ରିୟଙ୍କାଙ୍କ ପ୍ରଥମ ଟୁଇଟ, ସେୟାର କଲେ ଏହି ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଜାନୁଆରି ୨୫ରେ କଂଗ୍ରେସର ମହାସଚିବ ହୋଇଥିଲେ। ଏହାପରେ ଫେବ୍ରୁଆରି ୧୧ରେ ସେ ସୋସିଆଲ ମିଡିଆ ସାଇଟ ଟୁଇଟରରେ ପ୍ରବେଶ କରିଥିଲେ। କିନ୍ତୁ ଏକ ମାସ ପର୍ଯ୍ୟନ୍ତ ସେ କୌଣସି ଟୁଇଟ କରି ନଥିଲେ। ମାର୍ଚ୍ଚ ୧୨ ତାରିଖରେ ଶେଷରେ ପ୍ରିୟଙ୍କା ପ୍ରଥମ ଟୁଇଟ କରିଥିଲେ।

ପ୍ରିୟଙ୍କା ଗାନ୍ଧୀ ଗୁଜରାଟରେ କଂଗ୍ରେସ ଓ୍ଵାର୍କିଂ କମିଟି ବୈଠକ ପରେ ଏହି ଟୁଇଟ କରିଥିଲେ। ଯେଉଁଥିରେ ସେ ସାବରମତି ଆଶ୍ରମର ଫଟୋ ଦେଇ ସତ୍ୟର ସନ୍ଦେଶ ଦେଇଥିଲେ। ପ୍ରିୟଙ୍କା ଟୁଇଟରରେ ସେୟାର କରିଥିବା ସାବରମତି ଆଶ୍ରମର ଫଟୋରେ ଚରଖା ଥିବା ଦେଖିବାକୁ ମିଳୁଛି। ଯେଉଁଥିରେ ମହାତ୍ମାଗାନ୍ଧୀ ବସି ସୂତା କାଟୁଥିଲେ।

ପ୍ରିୟାଙ୍କା ମହାତ୍ମାଗାନ୍ଧୀଙ୍କ ସନ୍ଦେଶକୁ ଟୁଇଟରରେ ସେୟାର କରି ଲେଖିଛନ୍ତି, ‘ମୁଁ ହିଂସାର ବିରୋଧ କରୁଛି। ଯେତେବେଳେ ଲାଗିଥାଏ କି ଏଥିରେ କିଛି ସକରାତ୍ମକ ଭାବନା ଅଛି, ତେବେ ତାହା ଅସ୍ଥାୟୀ ହୋଇଥାଏ। କିନ୍ତୁ ଏଥିରେ ଯେଉଁ ନକରାତ୍ମକ ଭାବନା ଥାଏ ତାହା ସ୍ଥାୟୀ ରହିଥାଏ।’

ପ୍ରିୟଙ୍କା ଗାନ୍ଧୀଙ୍କ ଟୁଇଟର ଆକାଉଣ୍ଟକୁ ୨ଲକ୍ଷ ୩୭ହଜାର ଲୋକ ଫଲୋ କରୁଛନ୍ତି। ସେହିପରି ପ୍ରିୟଙ୍କା ଗାନ୍ଧୀ ଏଯାବତ ସାତଜଣଙ୍କୁ ଫଲୋ କରୁଥିବା ଜଣାପଡ଼ିଛି। ପ୍ରିୟଙ୍କା ଯେଉଁ ସାତଜଣଙ୍କୁ ଫଲୋ କରୁଛନ୍ତି ସେଥିରେ ଉତ୍ତରପ୍ରଦେଶର କୌଣସି ନେତା ନାହାନ୍ତି। ଏଯାବତ୍‌ କଂଗ୍ରେସର କୌଣସି କର୍ମକର୍ତ୍ତାଙ୍କୁ ସେ ଫଲୋ କରି ନାହାନ୍ତି। ପ୍ରିୟଙ୍କା ଯେଉଁ ସାତ ଜଣଙ୍କୁ ଫଲୋ କରୁଛନ୍ତି, ସେଥିରେ କଂଗ୍ରେସ ନେତା ଅଛନ୍ତି। ସେ ଅନ୍ୟ କୌଣସି ପାର୍ଟିର ନେତାଙ୍କୁ ଏଯାବତ୍‌ ଫଲୋ କରି ନାହାନ୍ତି।

ସମ୍ବନ୍ଧିତ ଖବର