ନୂଆଦିଲ୍ଲୀ : ଇସ୍ରାଏଲ୍‌ର ଏକ୍‌ ପ୍ରଯୁକ୍ତି କମ୍ପାନି ସ୍ପାଏ ସଫ୍‌ଟୱେର୍‌ ମାଧ୍ୟମରେ ନେତା, ସାମ୍ବାଦିକ ଏବଂ ସାମାଜିକ କର୍ମୀଙ୍କ ହ୍ବାଟ୍‌ସ ଆପ୍‌ ହ୍ୟାକିଂ କରିବା ମାମଲା ଏବେ ଜାତୀୟ ରାଜନୀତିକୁ ସରଗରମ କରିଛି। ଆଜି କଂଗ୍ରେସ ଅଭିଯୋଗ କରିଛି ଯେ ଏହି ତଥ୍ୟ ଚୋରି ମାମଲାରେ ସିଧାସଳଖ କେନ୍ଦ୍ର ସରକାର ସଂପୃକ୍ତ ଅଛନ୍ତି। କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଯ୍ୟେୱାଲା କହିଛନ୍ତି, ଏବେ ବିଜେପି ସରକାର ଗୁଇନ୍ଦାଗିରି କରୁଥିବା ସରକାର ପାଲଟିଯାଇଛି। ଯେଉଁମାନଙ୍କ ଫୋନ୍‌ ହ୍ୟାକ୍‌ ହୋଇଛି, ସେମାନଙ୍କ ପାଖକୁ ଏବେ ହ୍ବାଟ୍‌ସଆପ୍‌ ମେସେଜ୍‌ ପଠାଉଛି। ଏହି କ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖକୁ ମଧ୍ୟ ତାଙ୍କ ଫୋନ୍‌ ହ୍ୟାକ୍‌ ହୋଇଥିବା ମେସେଜ୍‌ ଆସିଛି ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି। ହ୍ବାଟ୍‌ସ ଆପ୍‌ ମାଧ୍ୟମରେ ଫୋନ୍‌ ହ୍ୟାକ୍‌ ହେଉଥିବା ନେଇ ସେ କହିଛନ୍ତି ଯେ ପେଗାସସ୍‌ ସ୍ପାଇୱେର୍‌ ମାଧ୍ୟମରେ ଏହା କରାଯାଇଥିବା ସ୍ପଷ୍ଟ ହୋଇଛି ଏବଂ ୨୦୧୯ ନିର୍ବାଚନ ସମୟରେ ଦେଶର ରାଜନେତା, ସାମ୍ବାଦିକ ଏବଂ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ଫୋନ୍‌ ସରକାର ଟ୍ୟାପ୍‌ କରିଛନ୍ତି। ଇସ୍ରାଏଲ୍‌ର ସଂସ୍ଥାକୁ ଲଗାଇ ସରକାର ଏହି ଗୁଇନ୍ଦାଗିରି କରିଛନ୍ତି ବୋଲି ସୁର୍ଯ୍ୟେୱାଲା କହିଛନ୍ତି।

Advertisment

ସୂଚନାଯୋଗ୍ୟ, ନିକଟରେ ହ୍ବାଟ୍‌ସଆପ୍‌ ସ୍ବୀକାର କରିଥିଲା ଯେ ବିଶ୍ବବ୍ୟାପୀ ପ୍ରାୟ ୧୪୦୦ ହ୍ବାଟ୍‌ସଆପ୍‌ ବ୍ୟବହାରକାରୀଙ୍କ ଫୋନ୍‌ ହ୍ୟାକ୍‌ ହୋଇଛି ଏବଂ ଇସ୍ରାଏଲ୍‌ର ଏକ ସଂସ୍ଥା ପେଗାସସ୍‌ ସ୍ପାଇୱେର ମାଧ୍ୟମରେ ତଥ୍ୟ ଚୋରି କରିଛି। ଏହି ମାମଲାରେ ହ୍ବାଟ୍‌ସ ଆପ୍‌ ଇସ୍ରାଏଲ୍‌ର ସଂପୃକ୍ତ ସଂସ୍ଥା ବିରୋଧରେ ମକଦ୍ଦମା ମଧ୍ୟ ରୁଜୁ କରିଛି ।