ପ୍ରିୟଙ୍କାଙ୍କ ସୁରକ୍ଷା କର୍ମୀ ୟୁପି ପୁଲିସ୍‌କୁ ସମର୍ଥନ ଦେଲେ; କହିଲେ, ପ୍ରିୟଙ୍କା ପ୍ରୋଟୋକଲ୍‌ ଭଙ୍ଗ କରିଥିଲେ

ନୂଆଦିଲ୍ଲୀ/ ଲକ୍ଷ୍ନୌ: କଂଗ୍ରେସ ନେତ୍ରୀ ତଥା ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ୟୁପି ପୁଲିସ୍‌ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନକୁ ପ୍ରିୟଙ୍କାଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ସିଆରପିଏଫ୍‌ର ସୁରକ୍ଷା କର୍ମୀମାନେ ସମର୍ଥନ କରିଛନ୍ତି। ପ୍ରିୟଙ୍କାଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ସିଆରପିଏଫ୍‌ର ସୁରକ୍ଷା କର୍ମୀ କହିଛନ୍ତି ଯେ ପ୍ରୟଙ୍କାଙ୍କ ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାରର ତ୍ରୁଟି ରହି ନଥିଲା। କିମ୍ବା ୟୁପି ପୁଲିସ୍‌ ପ୍ରିୟଙ୍କାଙ୍କ ସୁରକ୍ଷାରେ କୌଣସି ପ୍ରକାରର ହସ୍ତକ୍ଷେପ କରି ନଥିଲେ। ତେବେ, ପ୍ରିୟଙ୍କା ଜାଣିଶୁଣି ସଂପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ପାଇଁ ସୁରକ୍ଷା ଦୃଷ୍ଟକୋଣରୁ ରହିଥିବା ପ୍ରୋଟୋକଲ୍‌ ବ୍ୟବସ୍ଥାକୁ ତିନିତିନି ଥର ଉଲ୍ଲଂଘନ କରିଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କାଙ୍କୁ ପୂର୍ବରୁ ମିଳୁଥିବା ଏସ୍‌ପିଜି ସୁରକ୍ଷା ବଳୟକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଗତ ମାସରେ ପ୍ରତ୍ୟାହାର କରିନେବା ସହ ଏସ୍‌ପିଜି ବଦଳରେ ତାଙ୍କୁ ସିଆର୍‌ପିଏଫ୍‌ ସୁରକ୍ଷା ବଳୟ ଯୋଗାଇ ଦେଇଥିଲା। ତେବେ, ଗତ ୨୮ ତାରିଖରେ ପ୍ରିୟଙ୍କା ସିଏଏ ଆନ୍ଦୋଳନରେ ଅଂଶ ଗ୍ରହଣ କରି ଗିରଫ ହୋଇଥିବା ୟୁପିର ଜଣେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଲକ୍ଷ୍ନୌ ଯାଉଥିବା ବେଳେ ୟୁପି ପୁଲିସ୍‌ ତାଙ୍କୁ ମଝିବାଟରେ ଅଟକାଇବା ସହ ମାରଧର କରିଥିଲା ବୋଲି ପ୍ରିୟଙ୍କା ଅଭିଯୋଗ କରିବା ପରେ ଏହାକୁ କେନ୍ଦ୍ର କରି ଦେଶରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇ ଯାଇଥିଲା।

NDTV

ତେବେ, ଆଜି ଏ ସଂପର୍କରେ ସ୍ପଷ୍ଟୀକରଣ ଦେଇ ପ୍ରିୟଙ୍କାଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ସିଆପିଏଫ୍‌ ପକ୍ଷରୁ କୁହାଯାଇଛି ଯେ ପ୍ରିୟଙ୍କା ଜାଣିଶୁଣି ସଂପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ପାଇଁ ସୁରକ୍ଷା ଦୃଷ୍ଟକୋଣରୁ ରହିଥିବା ପ୍ରୋଟୋକଲ୍‌ ବ୍ୟବସ୍ଥାକୁ ତିନିତିନି ଥର ଉଲ୍ଲଂଘନ କରିଥିଲେ। କେବଳ ମାତ୍ର ଲକ୍ଷ୍ନୌର ପିସିସି କାର୍ଯ୍ୟାଳୟକୁ ଯିବାକୁ ଅନୁମତି ରହିଥିବା ବେଳେ ପ୍ରିୟଙ୍କା ଯେତେବେଳେ ଅନ୍ୟ ଆଡ଼େ ଯିବାକୁ ବାହାରି ଥିଲେ, ସେତେବେଳେ ସୁରକ୍ଷା ଦୃଷ୍ଟିକୋଣରୁ ୟୁପି ପୁଲିସ୍‌ ତାଙ୍କୁ ଏଥିପାଇଁ ବାରଣ କରିଥିଲେ। କିନ୍ତୁ, ପ୍ରିୟଙ୍କା ପୁଲିସ୍‌ ଓ ତାଙ୍କ ସୁରକ୍ଷା ବାହିନୀର ବାରଣ ନମାନି ସୁରକ୍ଷା ବଳୟକୁ ଭାଙ୍ଗି ସ୍କୁଟରରେ ବସି ବୁଲିଥିଲେ ଯାହାକି ତାଙ୍କ ସୁରକ୍ଷା ଦାୟିତ୍ୱରେ ରହିଥିବା ସିଆରପିଏଫ୍‌ ପାଇଁ ଚିନ୍ତାର କାରଣ ପାଲଟିଥିଲା।

ସମ୍ବନ୍ଧିତ ଖବର