ରବର୍ଟ ଭଦ୍ରାଙ୍କୁ ଇଡିର ୬ ଘଣ୍ଟା ଜେରା

ସ୍ବାମୀଙ୍କ ସହ ମୁଁ ଅଛି: ପ୍ରିୟଙ୍କା

ନୂଆଦିଲ୍ଲୀ: ଆର୍ଥିକ ହେରଫେର ବା ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ଆଜି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ପ୍ରାୟ ଘଣ୍ଟା ଧରି ଜେରା କରିଛି। କିନ୍ତୁ ସେ କୌଣସି ଆର୍ଥିକ ହେରଫେର କରି ନାହାନ୍ତି କିମ୍ବା ଳଣ୍ଡନରେ କୌଣସି ସଂପତ୍ତି କିଣି ନାହାନ୍ତି ବୋଲି ଭଦ୍ରା କହିଛନ୍ତି। ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ହଇରାଣ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଲଣ୍ଡନରେ ଭଦ୍ରା ୪ଟି ବିଳାସପୂର୍ଣ୍ଣ ଘର କିଣିଛନ୍ତି ବୋଲି ମିଳିଥିବା ତଥ୍ୟକୁ ଆଧାର କରି ଇଡି ତାଙ୍କୁ ଜେରା କରିଛି। ଏଥିମଧ୍ୟରୁ ଦୁଇଟି କୋଠାର ମୂଲ୍ୟ ହେଉଛି ୮୩ କୋଟି। ୨୦୦୫ରୁ ୨୦୧୦ ମଧ୍ୟରେ ‌େସ ଏହି କୋଠା କିଣିଥିବା କୁହାଯାଉଛି। ଏତେ ଅର୍ଥ ସେ କେଉଁଠୁ ଆଣିଲେ ଏବଂ କେମିତି କିଣିଲେ ବୋଲି ଇଡି ଅଧିକାରୀମାନେ ତାଙ୍କୁ ପାଖାପାଖି ୬ ଘଣ୍ଟା ଧରି ପଚରାଉଚରା କରିଥିଲେ। ମନୋଜ ଆରୋରାଙ୍କ ସହିତ ତାଙ୍କର ସଂପର୍କ କ’ଣ ବୋଲି ମଧ୍ୟ ପ୍ରଶ୍ନ ହୋଇଥିଲା। କିନ୍ତୁ ସେ ତାଙ୍କୁ ଜାଣନ୍ତି ନାହିଁ ବୋଲି ରବର୍ଟ କହିଥିଲେ। ଆସନ୍ତାକାଲି ତାଙ୍କୁ ପୁଣି ଜେରା କରାଯିବ। ମନୋଜ ଆରୋରା ହେଉଛନ୍ତି ସ୍କାଇଲଇଟ୍ ହସପିଟାଲିଟି ନାମକ ଏକ ସଂସ୍ଥାର ଅଧିକାରୀ। ଉକ୍ତ ସଂସ୍ଥା ସହିତ ରବର୍ଟଙ୍କ ସଂପର୍କ ରହିଛି ବୋଲି ଅଭିଯୋଗ ହେଉଛି। କେବଳ ଏତିକି ନୁହେଁ ବିଦେଶରେ ରବର୍ଟଙ୍କ ସଂପତ୍ତି ସଂପର୍କରେ ମନୋଜଙ୍କ ପାଖରେ ସବୁ ତଥ୍ୟ ରହିଛି ବୋଲି କୁହାଯାଉଛି। ରବର୍ଟ ଭଦ୍ରାଙ୍କ ଇଡି ଜେରାକୁ ନେଇ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ସେ ତାଙ୍କ ସ୍ବାମୀଙ୍କ ପଛରେ ଛିଡ଼ା ହୋଇଛନ୍ତି। ରବର୍ଟଙ୍କୁ ପତ୍ନୀ ପ୍ରିୟଙ୍କା କେନ୍ଦ୍ରୀୟ ଦିଲ୍ଲୀ ସ୍ଥିତ ଇଡି କାର୍ଯ୍ୟାଳୟ ବାହାରେ ଛାଡ଼ିଥିଲେ। ଉଭୟ ଏକ ଧଳା ରଙ୍ଗର ଟୟୋଟା ଲ୍ୟାଣ୍ଡ କ୍ରୁଜରରେ ଇଡି କାର୍ଯ୍ୟାଳୟକୁ ଯାଇଥିଲେ। ରବର୍ଟଙ୍କୁ ଇଡି କାର୍ଯ୍ୟାଳୟ ବାହାରେ ଛାଡ଼ିବା ପରେ ‌ପ୍ରିୟଙ୍କା ଏଆଇସିସିର ସାଧାରଣ ସମ୍ପାଦିକା ପଦଭାର ନେବା ଲାଗି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ପ୍ରବେଶ କରିବା ସମୟରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଥିଲେ ମୋ ସ୍ବାମୀଙ୍କ ସହିତ ମୁଁ ଛିଡ଼ା ହୋଇଛି ବୋଲି ସ୍ପଷ୍ଟ ବାର୍ତା ଦେବାକୁ ଚାହେ। ଇଡି ପକ୍ଷରୁ କରାଯାଇଥିବା ଅଭିଯୋଗକୁ ରବର୍ଟ ଅସ୍ବୀକାର କରି ଆସୁଛନ୍ତି। ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ହଇରାଣ କରାଯାଉଛି ବୋଲି ସେ କହୁଛନ୍ତି। ରବର୍ଟ ଏହି ମାମଲାରେ ଆଗୁଆ ଜାମିନ ଆବେଦନ କରି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ କିନ୍ତୁ ତାଙ୍କୁ ଲଣ୍ଡନରୁ ଫେରିବା ପରେ ବୁଧବାର ଇଡିରେ ହାଜର ହେବା ପାଇଁ କହିଥିଲେ। କୋର୍ଟ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରବର୍ଟଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର