ସୋନଭଦ୍ର ପୀଡ଼ିତଙ୍କୁ ଭେଟିଲେ ପ୍ରିୟଙ୍କା, ବାରଣାସୀରେ ଟିଏମ୍‌ସି ପ୍ରତିନିଧି ଦଳ ଅଟକ

ମୀର୍ଜାପୁର: ଉତ୍ତର ପ୍ରଦେଶର ସୋନଭଦ୍ରରେ ଘଟିଥିବା ହିଂସା ପୀଡ଼ିତଙ୍କୁ ଭେଟିବା ପାଇଁ ଜିଦ୍‌ରେ ଧାରଣା ଦେଇଥିବା କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି ଚୁନାର୍‌ ଗେଷ୍ଟ୍‌ ହାଉସ୍‌ ବାହାରେ ପୀଡ଼ିତ ପରିବାରଙ୍କୁ ଭେଟିଛନ୍ତି। ଜିଲ୍ଲା ପ୍ରଶାସନ ପୀଡ଼ିତ ପରିବାରଙ୍କୁ ମଧ୍ୟ ତାଙ୍କୁ ଭେଟିବାକୁ ଦେଉନାହିଁ ବୋଲି ଅଭିଯୋଗ କରି ପ୍ରିୟଙ୍କା କହିଛନ୍ତି, ୧୫ ଜଣ ତାଙ୍କୁ ଭେଟିବା ପାଇଁ ଆସିଥିଲେ ମଧ୍ୟ ମାତ୍ର ୨ ଜଣଙ୍କୁ ଅନୁମତି ଦିଆଯାଇଛି। ‘ପ୍ରଶାସନର ମାନସିକତାକୁ ମୁଁ ବୁଝି ପାରୁନାହିଁ। ମତେ ସେମାନଙ୍କୁ ଭେଟିବା ପାଇଁ ଯିବାକୁ ଦିଆଯାଇ ନଥିବା ବେଳେ ପୀଡ଼ିତମାନଙ୍କୁ ମଧ୍ୟ ମୋ ପାଖକୁ ଆସିବାରେ ସମସ୍ୟା ସୃଷ୍ଟି କରାଯାଉଛି । ନିରୀହ ଗରିବଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ମଧ୍ୟ ସେମାନଙ୍କ ପରିବାର ଉପରେ ଜୁଲମ୍‌ ଚାଲିଛି। ଏହି ଅନ୍ୟାୟ ବିରୋଧରେ ମୁଁ ସଂଘର୍ଷ ଜାରି ରଖିବି ଏବଂ ପୁଣି ସୋନଭଦ୍ର ଗସ୍ତରେ ଆସିବି’ ବୋଲି ପ୍ରିୟଙ୍କା କହିଛନ୍ତି। ଆଜି ପୀଡ଼ିତ ପରିବାର ସଦସ୍ୟଙ୍କୁ ଭେଟିବା ବେଳେ ପ୍ରିୟଙ୍କା ଭାବପ୍ରବଣ ହୋଇଉଠିଥିଲେ। ଜଣେ ମହିଳାଙ୍କୁ କାନ୍ଦିବା ଦେଖି ସେ ବି କାନ୍ଦି ପକାଇଥିଲେ। ୟୁପି କଂଗ୍ରେସର ବରିଷ୍ଠ ନେତାମାନେ ଆଜି ରାଜ୍ୟ ସରକାରକୁ କଡ଼ା ସମାଲୋଚନା କରିବା ସହ ଏ ବାବଦରେ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ଅଘୋଷିତ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି। ସୋନଭଦ୍ରରେ ବିନା କାରଣରେ ୧୪୪ ଧାରା ଜାରି କରି ନେତାଙ୍କ ଗସ୍ତକୁ ବାରଣ କରାଯିବା ଅଗଣତାନ୍ତ୍ରିକ ବୋଲି କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିୱାରୀ କହିଛନ୍ତି। ଆଜି ଟିଏମ୍‌ସି ସାଂସଦ ଡେରେକ୍‌ ଓବ୍ରେନଙ୍କ ନେତୃତ୍ବରେ ଯାଇଥିବା ଏକ ପ୍ରତିନିଧି ଦଳକୁ ମଧ୍ୟ ବାରଣାସୀରେ ଅଟ ରଖାଯିବାରୁ ସେମାନେ ଧାରଣାରେ ବସିଥିଲେ।

ସୋନଭଦ୍ର ଯିବା ପାଇଁ ଏବେ ଅନେକ କଂଗ୍ରେସ ନେତା ମୀର୍ଜାପୁର ଅତିଥି ଭବନରେ ପହଞ୍ଚିଛନ୍ତି। ପ୍ରିୟଙ୍କାଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଭୂପେଶ ସିଂହ ବଘେଲ, ଜିତିନ ପ୍ରଦାନ ଏବଂ ଦୀପେନ୍ଦ୍ର ହୁଦା ମଧ୍ୟ ଚୁନାର ପହଞ୍ଚିଥିଲେ। ଅନ୍ୟପକ୍ଷରେ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ବତନ୍ତ୍ର ଦେବ ସିଂହ କହିଛନ୍ତି ଯେ ସୋନଭଦ୍ରରେ ଘଟିଥିବା ହିଂସା ପାଇଁ ଦାୟୀ ଲୋକଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ଗଣହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଶାନ୍ତି ଫେରାଇବାକୁ ଲଗାତାର ପ୍ରୟାସ ହେଉଥିବା ବେଳେ କଂଗ୍ରେସ ଅଶାନ୍ତି ଜାରି ରଖିବାକୁ ଷଡ଼ଯନ୍ତ୍ର କରୁଛି। କଂଗ୍ରେସ ନେତାମାନେ ଡ୍ରାମା କରୁଛନ୍ତି ଏବଂ ଶବକୁ ନେଇ ରାଜନୀତି କରି ଫାଇଦା ଉଠାଇବାକୁ ଚାହୁଛନ୍ତି। ସେମାନଙ୍କ କୁମ୍ଭୀର କାନ୍ଦଣାକୁ ଲୋକେ ଠିକ୍‌ ବୁଝିଛନ୍ତି ବୋଲି ସ୍ବତନ୍ତ୍ର ଦେବ କହିଛନ୍ତି।

ସମ୍ବନ୍ଧିତ ଖବର