ଉନ୍ନାଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ପ୍ରିୟଙ୍କା

ଲକ୍ଷ୍ନୌ: ଗତରାତିରେ ହସ୍ପିଟାଲ୍‌ରେ ଆଖି ବୁଜିଥିବା ଉନ୍ନାଓ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଆଜି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭେଟିଛନ୍ତି । ରାଜ୍ୟରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ପାଇଁ ପ୍ରିୟଙ୍କା ବିଜେପି ସରକାର ଉପରେ ପ୍ରବଳ ବର୍ଷିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଡ଼ା ସମାଲୋଚନା କରି ପ୍ରିୟଙ୍କା‌ କହିଛନ୍ତି, ମୁଖ୍ୟମନ୍ତ୍ରୀ କହୁଛନ୍ତି ରାଜ୍ୟରେ ଅପରାଧୀଙ୍କ ପାଇଁ କୌଣସି ସ୍ଥାନ ନାହିଁ। କିନ୍ତୁ ବାସ୍ତବରେ ସ୍ଥିତି ଓଲଟା ରହିଛି। ରାଜ୍ୟରେ ମହିଳାଙ୍କ ପାଇଁ କିଛି ସ୍ଥାନ ଥିବାଭଳି ଲାଗୁନାହିଁ। ପୀଡ଼ିତାଙ୍କ ପରିବାର ସଦସ୍ୟ ପ୍ରାୟ ବର୍ଷେ ହେଲା ନିର୍ଯାତନାର ଶିକାର ହୋଇଛନ୍ତି। ଯିଏ ଦୋଷୀ ତା’କୁ ବିଜେପି ସରକାର ସୁରକ୍ଷା ଦେଉଛନ୍ତି। ରାଜ୍ୟରେ ଅପରାଧୀମାନଙ୍କ ମଧ୍ୟରେ ‌କୌଣସି ଭୟ ନାହିଁ। ଯେଉଁ ପୁଲିସ ଅଧିକାରୀ ଏଫ୍‌ଆଇଆର ଗ୍ରହଣ କରିନାହାନ୍ତି ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ଏବଂ ମହିଳାଙ୍କ ବିରୋଧରେ ଅପରାଧ ରୋକିବାକୁ ସରକାର କି ପଦ‌‌କ୍ଷେପ ଗ୍ରହଣ କରିଛନ୍ତି ତାହା ଜଣାଇବା ଆବଶ୍ୟକ ବୋଲି ପ୍ରିୟଙ୍କା କହିଛନ୍ତି।

ସମ୍ବନ୍ଧିତ ଖବର