ଜାଲୋର୍: ଜୀବନରେ ସମସ୍ୟା ସହିତ ସଂଘର୍ଷ କରି ମଧ୍ୟ ମୁହଁରେ ହସ ରଖିଥିବା ପ୍ରିୟଙ୍କା ଓରଫ ପିହୁ ଆଉ ଏ ଦୁନିଆରେ ନାହାନ୍ତି। ହାଡ଼ କର୍କଟ ରୋଗ ସହିତ ଲଢ଼ୁଥିବା ୨୭ ବର୍ଷୀୟା ପ୍ରିୟଙ୍କା ସେପ୍ଟେମ୍ବର ୨ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁର ମାତ୍ର ୭ଦିନ ପୂର୍ବରୁ ସେ ଆଇସିୟୁରେ ତାଙ୍କର ଜନ୍ମଦିନ ପାଳନ କରିଥିଲେ ବୋଲି ଜଣାପଡ଼ିଛି। ଅନେକ ପ୍ରକାରର ଔଷଧ ଖାଇବା ସହ ଶଯ୍ୟାରୁ ଉଠିବାର ବଳ ନଥିଲେ ବି ପ୍ରିୟଙ୍କା ଜୀବନ ବଞ୍ଚିବା ଛାଡ଼ିନଥିଲେ। ମୃତ୍ୟୁ ସିନିଶ୍ଚିତ ଜାଣି ମଧ୍ୟ ହାର୍ ମାନିନଥିଲେ ପିହୁ। ମୃତ୍ୟୁ ପାଖେଇ ଆସୁଥିଲେ ବି ସେ ଶେଷ ଥର ପାଇଁ ନିଜ ଜନ୍ମଦିନ ପାଳନ କରିବାକୁ ଭୁଲିନଥିଲେ। ମୃତ୍ୟୁର ୭ଦିନ ପୂର୍ବରୁ ତାଙ୍କର ଜନ୍ମଦିନ ଥିବା ବେଳେ ସେ ନିଜ ବାପାଙ୍କୁ କହିଥିଲେ, "ବାପା, ମୋ ପାଇଁ ଏକ କେକ୍ ଆଣନ୍ତୁ... ମୁଁ ମୋର ଶେଷ ମୁହୂର୍ତ୍ତଗୁଡ଼ିକୁ ଖୁସିରେ ବିତାଇବାକୁ ଚାହୁଁଛି।"
ଝିଅର କଥା ରଖି ବାପା କେକ୍ ଆଣିଥିଲେ। ହସ୍ପିଟାଲ ବେଡ୍ରେ ପଡ଼ି ସେ ନିଜର ଜନ୍ମଦିନ ପାଳନ କରିଥିଲେ। ସ୍ୱାମୀ ଲକ୍ଷ୍ୟରାଜ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ଆଇସିୟୁରେ କେକ୍ କଟାଯାଇଥିଲା। ନିଜର ଶେଷ ସମୟଗୁଡ଼ିକୁ ପରିବାର ସହିତ ପିହୁ ଖୁସିରେ ବିତାଇଥିଲେ ବି ଝିଅର ଅନ୍ତିମ ସମୟ ଆସୁଛି ଜାଣି ଖୁସି ହୋଇପାରିନଥିଲେ ପରିବାର। ପିହୁ ବିବାହିତ ଥିବା ବେଳେ ଉଭୟ ବାପ ଘର ଓ ଶାଶୁଘର ଲୋକେ ତାଙ୍କୁ ଆଉ କିଛି ଦିନ ବଞ୍ଚାଇ ରଖିବାକୁ ଭଗବାନଙ୍କ ଆଗରେ ଗୁହାରୀ କରିଥିଲେ। ସମସ୍ତଙ୍କ ଆଖିରେ ଲୁହ ଥିବା ବେଳେ ହସି ହସି ସମସ୍ତଙ୍କ ମନୋବଳ ବଢ଼ାଇଥିଲେ ପିହୁ। ସମସ୍ତଙ୍କୁ ସେ କହିଥିଲେ, "ମୁଁ କାନ୍ଦି କାନ୍ଦି ନୁହେଁ, ହସି ହସି ବିଦାୟ ନେବାକୁ ଚାହୁଁଛି।"
ସୂଚନା ମୁତାବକ, ଚାରି ଭାଇଭଉଣୀଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ଥିବା ପ୍ରିୟଙ୍କା ପରିବାରର ସବୁଠାରୁ ପ୍ରିୟ ସନ୍ତାନ ଥିଲେ। ସେ ପାଠପଢ଼ାରେ ଭଲ ଥିବା ସହ ବିବିଏ ଏବଂ ସିଏ କରିଥିଲେ। କିନ୍ତୁ, ସେ ଶେଷ ପରୀକ୍ଷା ଦେଇପାରିଲେ ନାହିଁ। କାରଣ ତାଙ୍କର ବିବାହ ହୋଇଥିଲା। ଜାନୁଆରି ୨୦୨୩ରେ, ସେ ରାନିୱାଡାର ଭାଟୱାସ୍ ଗାଁର ବାସିନ୍ଦା ବିଲଡର ଲକ୍ଷ୍ୟରାଜ ସିଂହଙ୍କ ସହିତ ବିବାହ କରିଥିଲେ।
ବିବାହର ମାସେ ପରେ ପ୍ରିୟଙ୍କାଙ୍କ ଗୋଡ଼ରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପ୍ରଥମେ ଏହାକୁ ସାଧାରଣ ଭାବି ସେ ଅଣଦେଖା କରିଥିଲେ। କିନ୍ତୁ ଧୀରେ ଧୀରେ ଯନ୍ତ୍ରଣା ହାଡ଼ ପର୍ଯ୍ୟନ୍ତ ପହଞ୍ଚିଥିଲା। ଫେବ୍ରୁଆରି ୨୦୨୩ରେ ମୁମ୍ବାଇରେ ଯେତେବେଳେ ତାଙ୍କର ଏମଆରଆଇ କରାଗଲା, ସେତେବେଳେ ଜଣାପଡିଥିଲା ଯେ, ତାଙ୍କୁ Ewing Sarcoma ନାମକ ଏକ ବିରଳ ପ୍ରକାରର କର୍କଟ ରୋଗ ହୋଇଛି। ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ ହେବା ସହ ପ୍ରଥମ ଅସ୍ତ୍ରୋପଚାର ମାର୍ଚ୍ଚ ୨୦୨୩ରେ କରାଯାଇଥିଲା। ଏହା ପରେ ଦ୍ୱିତୀୟ ଅସ୍ତ୍ରୋପଚାର ଜୁନ ୨୦୨୪ରେ ଏବଂ ତୃତୀୟ ଅସ୍ତ୍ରୋପଚାର ଅଗଷ୍ଟ ୨୦୨୪ରେ ଉଦୟପୁରରେ କରାଯାଇଥିଲା। ସମସ୍ତ ପ୍ରୟାସ ସତ୍ତ୍ୱେ, ରୋଗ ବ୍ୟାପିବାରେ ଲାଗିଥିଲା। ଶେଷରେ ଡାକ୍ତରମାନେ ପରିବାରକୁ କହିଥିଲେ ଯେ, ଏବେ ପିହୁଙ୍କ ପାଖରେ ଆଉ ଅଧିକ ସମୟ ବାକି ନାହିଁ। ଅନେକ ପ୍ରୟାସ ସତ୍ତ୍ବେ ସେପ୍ଟେମ୍ବର ୨, ୨୦୨୫ରେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ଜଣାଯାଇଛି।