ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ତଥା କେରଳର ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ବିଜେପି ଅଦାଲତ ଅବମାନନା ଆବେଦନ କରିବ। ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧୀ ଚୀନ୍‌ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀ ପାଇଁ ତାଙ୍କୁ ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବାପରେ ପ୍ରିୟଙ୍କା ତାଙ୍କ ଭାଇଙ୍କୁ ସମର୍ଥନ କରି କହିଥିଲେ ଯେ ପ୍ରକୃତ ଭାରତୀୟ କିଏ ତାହା ବିଚାରପତିମାନେ ନିର୍ଦ୍ଧାରଣ କରିପାରିବେ ନାହିଁ। ଏହା‌ ସେମାନଙ୍କ କ୍ଷେତ୍ରାଧିକାର ମଧ୍ୟ‌ରେ ଆସୁନାହିଁ। ତେବେ କୋର୍ଟଙ୍କ ବିରୋଧରେ ପ୍ରିୟଙ୍କାଙ୍କ ଏଭଳି ଟିପ୍ପଣୀକୁ ବିଜେପି ଦା‌ୟିତ୍ବହୀନ ହୋଇଛି। ଏ‌ହାକୁ ବିରୋଧ କରି ବିଜେପି ପ୍ରିୟଙ୍କାଙ୍କ ବିରୋଧରେ ଅଦାଲତ ଅବମାନନା ଆବେଦନ କରିବ ବୋଲି କହିଛି। ବିଜେପି ସାଂସଦ ମନନ୍‌ କୁମାର ମିଶ୍ର କହିଛନ୍ତି,  ରାହୁଲଙ୍କୁ ସମର୍ଥନ କରି ପ୍ରିୟଙ୍କା ଯେଉଁ ଟିପ୍ପଣୀ ଦେଇଛନ୍ତି ତା’ଦ୍ବାରା ଅଦାଲତ ଅବମାନନା ହୋଇଛି।  କୋର୍ଟ ରାହୁଲଙ୍କୁ କ’ଣ କହୁଛନ୍ତି ତାହା ନଜାଣି ପ୍ରିୟଙ୍କା ଗଣମା‌ଧ୍ୟମରେ ଏତେସବୁ ଟିପ୍ପଣୀ ଦେଇ ଅଦାଲତ ଅବମାନନା କରିଛନ୍ତି। ତେଣୁ  ଆମେ ପ୍ରିୟଙ୍କାଙ୍କ ବିରୋଧରେ ଅଦାଲତ ଅବମାନନା ଆବେଦନ କରିବୁ ବୋଲି ମନନ୍ କୁମାର ମିଶ୍ର କହିଛନ୍ତି।  

Advertisment

ଉଲ୍ଲେଖଯୋଗ୍ୟ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଚୀନ୍‌ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀକୁ ନେଇ ସୋମବାର ସୁପ୍ରିମକୋର୍ଟ ତାଙ୍କୁ କଡ଼ା ଭର୍ତ୍ସନା କରିବାପରେ ତାଙ୍କ ଭଉଣୀ ତାଙ୍କୁ ସମର୍ଥନ କରି କହିଥିଲେ ଯେ ନ୍ୟାୟପାଳିକାକୁ ସମ୍ପୂର୍ଣ୍ଣ ସମ୍ମାନର ସହ ଏହା କହିବାକୁ ଚାହୁଛି ଯେ ପ୍ରକୃତ ଭାରତୀୟ କିଏ ବା କିଏ ନୁହେଁ  ସେ ସଂକ୍ରାନ୍ତ ନିଷ୍ପତ୍ତି ବିଚାରପତି ନେବେନାହିଁ।  ଏହା ସେମାନଙ୍କ କ୍ଷେତ୍ରାଧିକାର ମଧ୍ୟରେ ଆସୁନାହିଁ।  ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟକୁ ସମର୍ଥନ କରି ପ୍ରିୟଙ୍କା କହିଛନ୍ତି,‘ରାହୁଲ ଗାନ୍ଧୀ ସର୍ବଦା  ସେନା‌ ଏବଂ ଆମ ସୈନିକଙ୍କୁ ସମ୍ମାନ ଦିଅନ୍ତି। ସରକାରଙ୍କୁ ପ୍ରଶ୍ନ କରିବା ବିରୋଧୀ ଦଳ ନେତାଙ୍କ ଦାୟିତ୍ବ ଏବଂ ତାହା ହିଁ ସେ କରୁଛନ୍ତି। ସରକାର ଏହାକୁ ପସନ୍ଦ କରୁନାହାନ୍ତି ଏବଂ ତାଙ୍କୁ ଉତ୍ତର ଦେବାକୁ ଚାହୁନାହାନ୍ତି। ସେଥିପାଇଁ ସେମାନେ ଏସବୁ ଯୋଜନା ଚଳାଇଛନ୍ତି।’  ଉଲ୍ଲେଖ‌ଯୋଗ୍ୟ , ୨୦୦୦ ବର୍ଗକିଲୋମିଟରରୁ ଅଧିକ ଭାରତୀୟ ଅଞ୍ଚଳକୁ ଚୀନ୍ ଦଖଲ କରି ନେଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଥିବା ଦାବିକୁ ନେଇ ସୁପ୍ରିମ୍‌କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ।