ଲକ୍ଷ୍ନୌ : ‘ମୁଁ ହିଁ କଂଗ୍ରେସ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଚେହେରା’ ବୋଲି କହିବାର କେଇ ଘଣ୍ଟା ପରେ ପ୍ରିୟଙ୍କା ଗାନ୍ଧି ନିଜର ଏହି ମନ୍ତବ୍ୟକୁ ଫେରାଇ ନେଇଛନ୍ତି। ପ୍ରିୟଙ୍କା କହିଛନ୍ତି ସାମ୍ବାଦିକମାନେ ଏ ନେଇ ତୁହାକୁ ତୁହା ପ୍ରଶ୍ନ କରୁଥିବାରୁ ସେ ରାଗରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି କହିଥିଲେ। ତେବେ ପ୍ରିୟଙ୍କା ଏହି ମାମଲାରେ ୟୁଟର୍ଣ୍ଣ ନେବାପରେ ଏହାକୁ ନେଇ ବିରୋଧୀଙ୍କ ଆକ୍ରମଣର ଶରବ୍ୟ ହୋଇଛନ୍ତି। ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ସୁଶ୍ରୀ ମାୟାବତୀ କହିଛନ୍ତି ଯେ ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ଏତେ ଶୋଚନୀୟ ଯେ, ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି କେଇଘଣ୍ଟା ପରେ ହଟିଯାଉଛନ୍ତି ଏବଂ ନିଜର କଥା ଫେରାଇ ନେଉଛନ୍ତି। ଏପରି ସ୍ଥିତିରେ କଂଗ୍ରେସକୁ ଭୋଟ ଦେଇ ନିଜର ବହୁମୂଲ୍ୟ ଭୋଟଟାକୁ କାହିଁକି ନଷ୍ଟ କରିବେ ବୋଲି ମାୟାବତୀ ଭୋଟରମାନଙ୍କୁ କହିଛନ୍ତି। ବରଂ ସେମାନେ ସେହି ଭୋଟ ବିଏସ୍‌ପିକୁ ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଏଥି ସହ ସମାଜର ହିତ ଦୃଷ୍ଟିରୁ ବିଜେପିକୁ ଉତ୍ତରପ୍ରଦେଶରେ କ୍ଷମତାରୁ ହଟାଇବା ଦରକାର ବୋଲି ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ, କଂଗ୍ରେସ ସାଧାରଣ ସମ୍ପ‌ାଦିକା ପ୍ରିୟଙ୍କା ଗାନ୍ଧି ଶୁକ୍ରବାର ସାମ୍ବାଦିକମାନଙ୍କୁ କହିଥିଲେ ଯେ, ସେ ହିଁ ଉତ୍ତରପ୍ରଦେଶ ପାଇଁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। କିନ୍ତୁ ଶନିବାର ଏକ ସ୍ବତନ୍ତ୍ର ସାକ୍ଷାତ୍‌କାରରେ କହିଥିଲେ ଯେ, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସେ କଂଗ୍ରେସର ଏକମାତ୍ର ଚେହେରା ନୁହନ୍ତି। ଶୁକ୍ରବାର ସେ ଯାହା କହିଥିଲେ ତାକୁ ଟିକେ ଅତିରଞ୍ଜିତ କରି ମିଡ଼ିଆବାଲା ପ୍ରକାଶ କରିଛନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ।