ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସାତ ଜଣ ସାମ୍ବାଦିକଙ୍କୁ ସମ୍ମାନିତ କରିଛନ୍ତି। ନୂଆଦିଲ୍ଲୀର ପୁରାତନ ସାହିତ୍ୟ ଏବଂ ସାଂସ୍କୃତିକ ସଂଗଠନ ‘ପଲ୍ଲୀବାଣୀ ମିସନ’ ଦ୍ବାରା ସ୍ଥାନୀୟ କନଷ୍ଟିଚ୍ୟୁସନ କ୍ଲବ୍‌ର ସ୍ପିକର ହଲରେ ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକତା ପୁରସ୍କାର ସମାରୋହର ଚତୁର୍ଥ ସଂସ୍କରଣରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଯୋଗ ଦେଇ ସାମ୍ବାଦିକଙ୍କୁ ସମ୍ମାନିତ କରିଥିଲେ।

Advertisment

ଏହି ଅବସରରେ ଶ୍ରୀ ପ୍ରଧାନ କହିଲେ, ତାଙ୍କ ଦୃଷ୍ଟିରେ ପୁରସ୍କୃତ ସାତ ଜଣ କେବଳ ବ୍ୟକ୍ତି ନୁହନ୍ତି କିମ୍ବା ‌ସାତଟି ଗଣମାଧ୍ୟମର ପ୍ରତିନିଧି ନୁହନ୍ତି, ଏମାନେ ‌ସାଢ଼େ ଚାରିକୋଟି ଓଡ଼ିଆଙ୍କ ବୌଦ୍ଧିକ ପରିପ୍ରକାଶର ପ୍ରତୀକ ସ୍ବରୂପ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାମ୍ବାଦିକା ଏବଂ ସ୍ତମ୍ଭକାର ଶିଲା ଭଟ୍ଟ ଖବର ପରିବେଷଣରେ ଆଞ୍ଚଳିକ ଭାଷା ସମ୍ବାଦିକତା ଉପରେ ଗୁରୁତ୍ବାରୋପ କରିଥିଲେ। ସାମ୍ବାଦିକତା ‌କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟାଇମ୍‌ସ ଅଫ ଇଣ୍ଡିଆର ଭୁବନେଶ୍ବର ବ୍ୟୁରୋ ମୁଖ୍ୟ ଅଶୋକ କୁମାର ପ୍ରଧାନ, ବିଶିଷ୍ଟ ଚଳଚ୍ଚିତ୍ର ସାମ୍ବାଦିକ ଓ ଲେଖକ ସୂର୍ଯ୍ୟ ଦେଓ, ଫାଇନାନ୍‌ସିଆଲ୍‌ ଏକ୍ସପ୍ରେସର ସହଯୋଗୀ ସଂପାଦକ ସନ୍ଦୀପ ଦାଶ, ସମ୍ବାଦ ଓ କନକ ଟିଭିର ପଟ୍ଟାଙ୍ଗୀ ପ୍ରତିନିଧି ପ୍ରଶାନ୍ତ କୁମାର ଦାଶ, ସମାଜ ଓ କଳିଙ୍ଗ ଟିଭିର କୋଲକୋତା ପ୍ରତିନିଧି ପ୍ରମୋଦ କୁମାର ମହାନ୍ତି, ନ୍ୟୁଜ-୭ର ବରିଷ୍ଠ ଉପସ୍ଥାପିକା ମୌସୁମୀ ମହାନ୍ତି ଏବଂ ଓଟିଭିର ମାଲକାନଗିରି ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ବେଉରାଙ୍କୁ ପୁରସ୍କୃତ କରାଯାଇଥିଲା। ପଲ୍ଲୀବାଣୀ ମିସନର ଅଧ୍ୟକ୍ଷ ତଥା ପଲ୍ଲୀବାଣୀ ପତ୍ରିକାର ସଂପାଦକ ରାମଚନ୍ଦ୍ର ନାଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ତଥା ବିଶିଷ୍ଟ କବି ଅମରେନ୍ଦ୍ର ଖଟୁଆ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ପଲ୍ଲୀବାଣୀ ପତ୍ରିକାର ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ଲୋଗୋର ଉନ୍ମୋଚନ କରାଯାଇଥିଲା। ସମାରୋହରେ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।