ଖଲିସ୍ଥାନ ସ୍ଥାପନା ଦିବସକୁ ନେଇ ପଂଜାବରେ ଉତ୍ତେଜନା, ଗୁଳି ଚଳାଇଲା ପୁଲିସ

ପାତିଆଲା : ପଞ୍ଜାବରେ ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରାକୁ ନେଇ ଉତ୍ତେଜନା ଓ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଦୁଇପକ୍ଷ ମଧ୍ୟରୁ ପଥର ମାଡ ହେବା ସହ ଖଣ୍ଡା ଓ ଅନ୍ୟ ପାରମ୍ପରିକ ମାରଣାସ୍ତ୍ର ପ୍ରଦର୍ଶନ କରାଯାଇଛି ।

ପାତିଆଲାସ୍ଥିତ କାଳିମନ୍ଦିର ନିକଟରେ ଶିବସେନା ପକ୍ଷରୁ ଶୁକ୍ରବାରଦିନ ଏକ ଖଲିସ୍ଥାନ ବିରୋଧୀ ଶୋଭାଯାତ୍ରା ବାହାର କରାଯାଇଥିଲା । ଏଥିରେ ଖଲିସ୍ଥାନ ମୁର୍ଦ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା । ଏହାର ବିରୋଧରେ କେତେକ ଶିଖ ସଂଗଠନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ବିରୋଧ କରିବା ଖଣ୍ଡା ବୁଲାଇଥିଲେ । ଫଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଏପରିକି କେତେକ ବ୍ୟକ୍ତି ପୁଲିସ ସହିତ ଯୁକ୍ତିତର୍କ କରିଥିଲେ । ଶେଷରେ ପୁଲିସ ପକ୍ଷରୁ ବାଧ୍ୟ ହୋଇ ଗୁଳି ଚଳାଇବାକୁ ପଡ଼ିଥିଲେ । ତେବେ ଏହି ଗୁଳିଚାଳନାରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ପାତିଆଲା ଡିଏସପି କହିଛନ୍ତି ଯେ ଏହି ଶୋଭାଯାତ୍ରା ବାହାର କରିବା ପାଇଁ ଶିବସେନାକୁ କୌଣସି ଅନୁମତି ଦିଆଯାଇନଥିଲା । ଏ ସଂପର୍କରେ ଶିବସେନା ପଞ୍ଜାବର କାର୍ଯ୍ୟକାରୀ ସଭାପତି ହରିଷ ସିଂଗଲାଙ୍କୁ ପଚରାଉଚୁରା ଚାଲିଛି ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୯କୁ ଖଲିସ୍ଥାନ ଆତଙ୍କବାଦୀମାନେ ଖଲିସ୍ଥାନ ସ୍ଥାପନା ଦିବସ ପାଳନ କରୁଛନ୍ତି । ଏହା ଉପଲକ୍ଷେ ଆତଙ୍କବାଦୀ ଗୁରପଟଓ୍ବାନ୍ତ ସିଂ ପନ୍ନୁ  ପଂଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଖଲିସ୍ତାନ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ବିରୋଧରେ ଶିବସେନା ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା ।

ସମ୍ବନ୍ଧିତ ଖବର