ଆଦାନି ମାମଲାର ତଦନ୍ତ ହେଉ: ପାର୍ଲାମେଣ୍ଟ୍‌ରୁ ‘ଇଡି’ ଅଫିସ୍‌ ପର୍ଯ୍ୟନ୍ତ ବିରୋଧୀ ସାଂସଦଙ୍କ ପଦଯାତ୍ରା

ନୂଆଦିଲ୍ଲୀ: ଆଦାନି ମାମଲା‌ର ତଦନ୍ତ କରିବା ଲାଗି ଅଭିଯୋଗ ପତ୍ର ଦାଖଲ କରିବା ଲାଗି ଆଜି କେତେକ ବିରୋଧୀ ଦଳର ନେତା ସଂସଦରୁ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି।

ପ୍ରବର୍ତ୍ତନ ନିର୍ଦେଶାଳୟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିବା ଦିଲ୍ଲୀ ପୁଲିସ କହିଛି ଯେ, ଯଦି ନେତାମାନେ ପ୍ରତିବାଦ ପ୍ରତ୍ୟାହାର ନ କରିନ୍ତି ତେବେ ସେମାନଙ୍କୁ ଅଟକ ରଖାଯିବ।

ଦଳ ଦଳ ହୋଇ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯାଇ ଅଭିଯୋଗ ପତ୍ର ଦାଖଲ କରିବା ଲାଗି ବି‌ରୋଧୀ ଦଳର ନେତାମାନେ ସ୍ଥିର କରିଛନ୍ତି।

ପ୍ରବର୍ତ୍ତନ ନିର୍ଦେଶାଳୟ ବାହାରେ ସମ୍ପ୍ରତି ଚାଲିଥିବା ବିଶାଳ ପ୍ରତିବାଦ ପ୍ରଦର୍ଶନରେ ୧୮ଟି ବିରୋଧୀ ଦଳର ନେତା ଉପସ୍ଥିତ ଅଛନ୍ତି। ‘ଆଦାନି-ହିଣ୍ଡେନ୍‌ବର୍ଗ’ ବିବାଦ ମାମଲାରେ ବିରୋଧୀ ଦଳ ମିଳିତ ସଂସଦୀୟ କମିଟି ତଦନ୍ତ ଦାବି କରୁଛି।

Image Courtesy of India TV News

ସେପଟେ, ‘ବିଜେପି’ ଏହାକୁ ‘ଦୁର୍ନୀତିଗସ୍ତଙ୍କ ପଦଯାତ୍ରା’ ବୋଲି ଅଭିହିତ କରିଛି।

ପଦଯାତ୍ରା ଆୟୋଜନ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଆଜି ପୂର୍ବାହ୍ନରେ ପାର୍ଲାମେଣ୍ଟ୍‌ ପରିସରସ୍ଥ ବିରୋଧୀ ଦଳର ରାଜ୍ୟସଭା ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ବିରୋଧୀ ଦଳର ନେତାମାନେ ଏକତ୍ର ହୋଇଥିଲେ।

Image Courtesy of India Today

ସୂଚନାଯୋଗ୍ୟ, ‘ୟୁଏସ୍‌ ସର୍ଟ ସେଲର୍‌ ‘ହିଣ୍ଡେନ୍‌ବର୍ଗ ରିସର୍ଚ’ ଅଭିଯୋଗ କରିଥିଲା ଯେ, ଆଦାନି ଗ୍ରୁପ୍‌ ଅଂଶଧନ ଓ ହିସାବପତ୍ର ଜାଲିଆତି କରିଛି। ସେୟାର୍‌ ମୂଲ୍ୟ ବୃଦ୍ଧି କରିବା ଲାଗି ବିଦେଶରେ ଥିବା ‘ସେଲ୍‌ କମ୍ପାନି’ମାନଙ୍କର (ନାଁ’କୁ ମାତ୍ର କମ୍ପାନି) ସହାୟତା ନେଇଥିଲା। କିନ୍ତୁ, ସମସ୍ତ ଅଭିଯୋଗକୁ ‘ଆଦାନି ଗ୍ରୁପ୍‌’ ଅସ୍ବୀକାର କରିଛି। ଏଭଳି ଅଭି‌ଯୋଗ ଭିତ୍ତିହୀନ, ଅଭିସନ୍ଧି ପ୍ରଣୋଦିତ ଏବଂ ଭାରତ ଉପରେ ଯୋଜନାବଦ୍ଧ ଆକ୍ରମଣ ବୋଲି ‘ଆଦାନି ଗ୍ରୁପ୍‌’ କହିଛି।

ସମ୍ବନ୍ଧିତ ଖବର