ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କ ସହ ଜଡ଼ିକ କମ୍ପାନି ୟଙ୍ଗ ଇଣ୍ଡିଆନର ୯୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜବତ ସମ୍ପତ୍ତି ମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇର ନ୍ୟାସନାଲ ହେରାଲ୍ଡ ହାଉସ୍ ଏବଂ ଲକ୍ଷ୍ନୌର ନେହେରୁ ଭବନ ଅନ୍ତର୍ଭୁକ୍ତ।
ସୂତ୍ରରୁ ପ୍ରକାଶ ଯେ ନ୍ୟାସନାଲ ହେରାଲ୍ଡ ପ୍ରକାଶ କରୁଥିବା କମ୍ପାନି ଆସୋସିଏଟେଡ୍ ଜର୍ଣ୍ଣାଲସର ଜବତ ସମ୍ପତ୍ତିର ମୋଟ ମୂଲ୍ୟ ୭୫୨ କୋଟି। ସଂପ୍ରତି ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଛି କେନ୍ଦ୍ରୀୟ ଏଜେନ୍ସି ଇଡି।
ଇଡି ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ ପିଏମ୍ଏଲ୍ଏ- ୨୦୦୨ ଅଧୀନରେ ତଦନ୍ତ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ଇଡି ଅସ୍ଥାୟୀ ଭାବେ ୭୫୧.୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାକୁ ଆଦେଶନାମା ଜାରି କରିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଦିଲ୍ଲୀ, ମୁମ୍ବାଇ ଏବଂ ଲକ୍ଷ୍ନୌ ଭଳି ଭାରତର ଅନେକ ସହରରେ ୬୬୧.୬୯ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଆକାରରେ ମେସର୍ସ ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ୍ (ଏଜେଏଲ)ରୁ ମିଳିଥିବା ଆୟକୁ ନିଜ ପାଖରେ ରଖିଛି ବୋଲି ପୋଷ୍ଟରେ ଲେଖାଯାଇଛି।
ED has issued an order to provisionally attach properties worth Rs. 751.9 Crore in a money-laundering case investigated under the PMLA, 2002. Investigation revealed that M/s. Associated Journals Ltd. (AJL) is in possession of proceeds of crime in the form of immovable properties…
— ED (@dir_ed) November 21, 2023
କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ରାଜନୈତିକ ପ୍ରତିଶୋଧ ପାଇଁ କେନ୍ଦ୍ର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛି ବୋଲି କଂଗ୍ରେସ ସର୍ବଦା ଅଭିଯୋଗ କରି ଆସୁଛି ଏବଂ ମନି ଲଣ୍ଡରିଂ କିମ୍ବା କୌଣସି ଆର୍ଥିକ ବିନିମୟର କୌଣସି ପ୍ରମାଣ ନାହିଁ ।