ରାଜ୍ୟସଭା ନିର୍ବାଚନ ପୂର୍ବରୁ ସଙ୍କଟ, ଗୁଜରାଟରେ ୫ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଅହମ୍ମଦାବାଦ: ଆଗକୁ ରାଜ୍ୟସଭା ନିର୍ବାଚନ ଥିବାବେଳେ ଗୁଜରାଟ ବିଧାନସଭାରୁ ୫ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦଳର ସଂକଟ ବଢାଇ ଦେଇଛି। ଆଜି କଂଗ୍ରେସର ୫ ବିଧାୟକ ବିଧାନସଭା ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀଙ୍କୁ ସେମାନଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୬ରେ ଗୁଜରାଟର ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ। ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରିସ୍ଥିତିକୁ ଜଟିଳ କରିଦେଇଛି। କଂଗ୍ରେସ ୨ଟି ଆ‌ସନରେ ବିଜୟୀ ହେବା ପାଇଁ ୭୪ ଭୋଟ ଆବଶ୍ୟକ କରୁଥିବା ବେଳେ ବର୍ତ୍ତମାନ ୫ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଅପରପକ୍ଷେ, ବିଜେପି ଦୁଇଟି ଆସନରେ ନିଶ୍ଚିତ ଥିବାବେଳେ ତୃତୀୟ ଆସନ ଦଖଲ ପାଇଁ ରଣନୀତି ଜାରି ରଖିଛି। ଗୁଜରାଟର ମୋଟ ୧୮୨ ଆସନ ମଧ୍ୟରୁ ବିଜେପି ନିକଟରେ ୧୦୩ ବିଧାୟକ ଥିଲାବେଳେ କଂଗ୍ରେସ ନିକଟରେ ୭୩ ଜଣ ବିଧାୟକ ଅଛନ୍ତି। କଂଗ୍ରେସ ନିଜର ସମସ୍ତ ବିଧାୟକଙ୍କୁ ଜୟପୁର‌ର ଏକ ହୋଟେଲ୍‌ରେ ରଖିବା ସତ୍ତ୍ବେ ୫ ବିଧାୟକ ନିଖୋଜ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର