ତାଲିବାନ ସହ ଆଲୋଚନାକୁ ନେଇ ବିବାଦ, ଭାରତ ଆନୁଷ୍ଠାନିକ ଭାବେ ସାମିଲ ହୋଇନାହିଁ: ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାକୁ ସଫଳ କରିବା ପାଇଁ ଆଜି ରୁଷ୍‌ ରାଜଧାନୀ ମସ୍କୋରେ ହେଉଥିବା ଆଲୋଚନାରେ ଭାରତ ସାମିଲ ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ବୈଠକରେ ତାଲିବାନ ପ୍ରତିନିଧି ଯୋଗ ଦେଉଥିବାରୁ ଭାରତ ଏହାକୁ ବର୍ଜନ କରବା ଆବଶ୍ୟକ ଥିଲା ବୋଲି କେତେକ ମହଲ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାର ସଫେଇ ଦେଇଛନ୍ତି। ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି ଯେ ଭାରତ ଏଭଳି ଆଲୋଚନାରେ ଆଦୌ ଆନୁଷ୍ଠାନିକ ଭାବେ ସାମିଲ ହୋଇନାହିଁ। ଆଫଗାନ ଶାନ୍ତି ପ୍ରକ୍ରିୟାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏଥିରେ ଅନୌପଚାରିକ ଭାବେ କେତେକ ପ୍ରକ୍ରିୟାରେ ଭାରତ ସାମିଲ ହୋଇଛି ବୋଲି ସେ କହିଛନ୍ତି। ଏହାକୁ ଭାରତ-ତାଲିବାନ ମଧ୍ୟରେ କଥାବାର୍ତ୍ତା କିଭଳି କୁହାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟାରେ ଭାରତର ନୀତି ଅନୁକୂଳ କୌଣସି ପଦକ୍ଷେପ ନିଆଗଲେ ଭାରତ ତାହାକୁ ସମର୍ଥନ କରିଥାଏ। ଏହାର ଅର୍ଥ ତାଲିବାନ ସହିତ କଥାବାର୍ତ୍ତା ନୁହେଁ ବୋଲି ସେ କହିଛନ୍ତି। ତେବେ ରୁଷ୍‌ରେ ଅନୁଷ୍ଠିତ ଶାନ୍ତି ପ୍ରକ୍ରିୟା ବୈଠକରେ ତାଲିବାନର ଯୋଗଦାନକୁ ନ୍ୟାସନାଲ କନ୍‌ଫରେନ୍ସ ନେତା ଉମର ଅବଦୁଲ୍ଲା କଶ୍ମୀର ସହ ଯୋଡ଼ି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀ ସରକାର ତାଲିବାନ ସହ କଥାବାର୍ତ୍ତା ହେବାପାଇଁ ପ୍ରସ୍ତୁତ ଥିବା ବେଳେ କଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ସହ କାହିଁକି ଆଲୋଚନା ପାଇଁ ରାଜି ହେଉନାହାନ୍ତି ବୋଲି ସେ ଟ୍ବିଟ୍‌ କରି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର