ସଂସଦରେ ଅଚଳାବସ୍ଥା ଜାରି

ଲୋକସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ

ମୁମ୍ବାଇ: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ଆଜି ତୃତୀୟ ଦିବସରେ ମଧ୍ୟ ପ୍ରବଳ ହଟ୍ଟଗୋଳ ଯୋଗୁଁ କୌଣସି କାମ ହୋଇପାରିନାହିଁ ଏବଂ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପଂଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି, ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା , କାବେରି ଜଳ ବଣ୍ଟନ ବୋର୍ଡ ଗଠନ ଆଦି ଦାବିରେ ବିରୋଧୀ ଦଳ ସଦସ୍ୟ ପ୍ରବଳ ହଟ୍ଟଗୋଳ କରିଥିଲେ ଏବଂ କୌଣସି କାର୍ଯ୍ୟ କରାଇ ଦେଇନଥିଲେ। ଆଜି ଉଭୟ ଗୃହରେ କଂଗ୍ରେସ ସମେତ ଟିଡିପି, ଏଆଇଏଡିଏମ୍‌କେ, ଶିବ ସେନା, ଓ୍ଵାଇଏସ୍‌ଆର୍‌ କଂଗ୍ରେସ ଏବଂ ଟିଏମ୍‌୍‌ସି ସାଂସଦମାନେ ସ୍ଲୋଗାନ ଦେଇ ବାଚସ୍ପତିଙ୍କ ଆସନ ଆଡ଼କୁ ମାଡ଼ିଯାଇଥିଲେ। ଲୋକସଭାରେ ବାଚସ୍ପତି ସୁମିତ୍ରା ମହାଜନ ଗୃହକାର୍ଯ୍ୟ ଆରମ୍ଭ କରିବା ମାତ୍ରେ ଘୋର ବିଶୃଙ୍ଖଳା ଯୋଗୁଁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଆଗକୁ ବଢ଼ିପାରି ନଥିଲା ଏବଂ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା। ସେହିଭଳି ରାଜ୍ୟ ସଭାରେ ମଧ୍ୟ ଟିଡିପି ଏବଂ ଏଆଇଏଡିଏମ୍‌ର ଜୋର୍‌ଦାର ବିରୋଧ ଯୋଗୁଁ ସ୍ୱାଭାବିକ କାର୍ଯ୍ୟ ଠପ୍‌ ହୋଇଯାଇଛି। ଲୋକସଭାରେ ଅଚଳାବସ୍ଥାକୁ ଦୂର କରିବା ପାଇଁ ଆଜି ବାଚସ୍ପତି ସୁମିିତ୍ରା ମହାଜନଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ଏବଂ ସଂସଦୀୟ ମର୍ଯ୍ୟାଦାକୁ ଜଳାଞ୍ଜଳି ଦେଇ ଗୃହକୁ ଅଚଳ କରିଦିଆଯାଉଥିବାରୁ ବାଚସ୍ପତି ଏ ନେଇ ଉଦ୍‌୍‌ବେଗ ପ୍ରକାଶ କରିଥିଲେ। ଆଗାମୀ ୨/୩ ଦିନ ମଧ୍ୟରେ ସ୍ଥିତି ସ୍ୱାଭାବିକ ହେବ ବୋଲି ବୈଠକ ପରେ ଶ୍ରୀମତୀ ମହାଜନ ଗଣମାଧ୍ୟମକୁ କହିଛନ୍ତି। ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାକୁ ଦାବି କରି ଶିବସେନା ସଦସ୍ୟମାନେ ସଂସଦରେ ହଟ୍ଟଗୋଳ ଜାରି ରଖିଥିବା ବେଳେ ଏଆଇଏଡିଏମ୍‌କେ ସାଂସଦମାନେ କାବେରୀ ଜଳ ପରିଚାଳନା ବୋର୍ଡ ଗଠନ ଦାବି କରି ସେମାନଙ୍କ ବିରୋଧ ଜାରି ରଖିଛନ୍ତି। ତେଲେଙ୍ଗାନାରେ ସଂରକ୍ଷଣ କୋଟା ବୃଦ୍ଧି ଦାବି କରି ଟିଆର୍‌ଏସ୍‌ ସାଂସଦମାନେ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି। କଂଗ୍ରେସ ଉଭୟ ଗୃହରେ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ହୋଇଥିବା ଦୁର୍ନୀତି ପାଇଁ ସରକାରଙ୍କୁ ଘେରିବାକୁ ପ୍ରୟାସ ଜାରି ରଖିଛି, କିନ୍ତୁ ଏ ବାବଦରେ ଆଲୋଚନା ପାଇଁ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରୁନାହିଁ।

ସମ୍ବନ୍ଧିତ ଖବର