ଧାରା ୩୫-ଏକୁ ନେଇ କଶ୍ମୀରରେ ଉତ୍ତେଜନା

ବାରୁଦ ଗଦାରେ ହାତ ମାରନାହିଁ: ମୁଫ୍‌ତି

ଶ୍ରୀନଗର: କଶ୍ମୀରରେ ଧାରା ୩୫-ଏ’କୁ ନେଇ ଏବେ ଉତ୍ତେଜନା ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଧାରା-୩୫ଏକୁ ଉଚ୍ଛେଦ କରିବେ ବୋଲି ପୂର୍ବରୁ କେତେକ ସଙ୍କେତ ଦେଇଥିବା ବେଳେ ଏବେ କଶ୍ମୀରରେ ଅଧିକ ସେନା ମୁତୟନ ପରେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ନାନା ଆଶଙ୍କା ପ୍ରକାଶ ପାଇଛି। ପିଡିପି ଏବଂ ନ୍ୟାସନାଲ୍‌ କନ୍‌ଫରେନ୍ସ ନେତାମାନେ ସରକାରଙ୍କ ଅତିରିକ୍ତ ସେନା ମୁତୟନ ନିଷ୍ପତ୍ତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ବିଚ୍ଛିନ୍ନତାବାଦୀମାନେ ମଧ୍ୟ ଏହାକୁ ବିରୋଧ କରି ଲୋକଙ୍କୁ ଉସୁକାଉଛନ୍ତି। ପିଡିପି ସୁପ୍ରିମୋ ମେହବୁବା ମୁଫ୍‌ତି ଆଜି ଏକ ଜନସଭାରେ କହିଛନ୍ତି ଯେ ୩୫-ଏ’କୁ ଉଚ୍ଛେଦ କରାଗଲେ ଜମ୍ମୁ କଶ୍ମୀରରେ ଭୟାନକ ସ୍ଥିତି ଉପୁଜିଯିବ ଏବଂ ସ୍ଥିତି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବ। କଶ୍ମୀରରେ ଅଧିକ ୧୦ ହଜାର ଯବାନ ମୁତୟନ କେବଳ ଆତଙ୍କବାଦୀ ନିପାତ ଅପରେସନ ପାଇଁ ଉଦ୍ଦିଷ୍ଟ ବୋଲି ସେନା ଓ ସିଆର୍‌ପିଏଫ୍‌ ସ୍ପଷ୍ଟ କରିଥିଲେ ମଧ୍ୟ ପିଡିପି ଏବଂ ନେସ୍‌ନାଲ କନ୍‌ଫରେନ୍ସ ନେତାମାନେ ବିରୋଧ ଜାରି ରଖିଛନ୍ତି। କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା ସଂପର୍କରେ ଗୁଇନ୍ଦା ସୁରାକ୍‌ ମିଳିବା ପରେ ଅଧିକ ଯବାନଙ୍କୁ ପଠାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। ଧାରା ୩୫-ଏ’କୁ ଛୁଇଁବା ବାରୁଦ ଗଦାରେ ହାତ ମାରିବା ଭଳି ହେବ ଏବଂ କେନ୍ଦ୍ର ସରକାର ଏଥିରୁ ଦୂରେଇ ରହିବା ଉଚିତ ବୋଲି ମୁଫ୍‌ତି କହିଛନ୍ତି।

ଧାରା ୩୫-ଏ କ’ଣ
ସମ୍ବିଧାନର ଧାରା ୩୫-ଏ ଜମ୍ମୁ କଶ୍ମୀର ବିଧାନସଭାକୁ କେତେକ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଛି। ଏହା ମାଧ୍ୟମରେ ରାଜ୍ୟରେ ସ୍ଥାୟୀ ଅଧିବାସୀଙ୍କ ଚିହ୍ନଟ ହେଉଛି। ସ୍ଥାୟୀ ଅଧିବାସୀଙ୍କ ସଂଜ୍ଞା ନିରୁପଣ ସହିତ ଏହି ଧାରାରେ ଥିବା ବ୍ୟବସ୍ଥା ଅନୁଯାୟୀ ଜମ୍ମୁ କଶ୍ମୀରରେ ବାହାରୁ ଆସିଥିବା ଲୋକ ସମ୍ପତ୍ତି କ୍ରୟ କରିପାରିବେ ନାହିଁ। ବାହାର ଲୋକ ରାଜ୍ୟ ସରକାରଙ୍କ ଅଧୀନରେ ଚାକିରି ମଧ୍ୟ କରିପାରିବେ ନାହିଁ। ତେବେ ଏହି ଧାରା ୩୫-ଏ’କୁ ସଂସଦ ଦ୍ବାରା ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏହାକୁ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ଆଦେଶ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାର ବୈଧତାକୁ ନେଇ ବିଭିନ୍ନ ମହଲ ପ୍ରଶ୍ନ ଉଠାଇବା ସହ ଏହା ଭାରତର ନାଗରିକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବାରୁ ଏହାର ଉଚ୍ଛେଦ ପାଇଁ ଦାବି ହେଉଛି।

ବଡ଼ ଅପରେସନ ପାଇଁ ସରକାର ପ୍ରସ୍ତୁତ
କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନକୁ ଆହୁରି ବ୍ୟାପକ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏବେ ଅଧିକ ୧୦ ହଜାର ଯବାନ ମୁତୟନ ସହ କଶ୍ମୀରରେ ସୁରକ୍ଷା ସ୍ଥିତି ସୁଦୃଢ଼ ହୋଇଛି। ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନା କରିଥିବାରୁ ତଲାସୀ ଅଭିଯାନକୁ ବ୍ୟାପକ କରିବା ନିମନ୍ତେ ସେନା ମୁତୟନ କରାଯାଇଥିବା ସେନା ଏବଂ ସିଆର୍‌ପିଏଫ୍‌ ସୂତ୍ରରୁ ଖବର ମିଳିଛି। ଅନ୍ୟପକ୍ଷରେ ଏନ୍‌ଆଇଏ କଶ୍ମୀରର ୨୦ରୁ ଅଧିକ ସ୍ଥାନରେ ଆଜି ସକାଳୁ ଚଢ଼ଉ ଆରମ୍ଭ କରିଛି। ବାରମୁଳାରେ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ବିଚ୍ଛିନ୍ନତାବାଦୀଙ୍କ ବିଭିନ୍ନ ଠିକଣାରେ ଚଢ଼ଉ ଚାଲିଛି।

ସମ୍ବନ୍ଧିତ ଖବର