ଦେଶ ପାଇଁ ବିପଦ ‘ନନ୍ଦା ଦେବୀ’ ପାହାଡ଼ରେ ପରମାଣୁ ଯନ୍ତ୍ରାଂଶ

୧୯୬୫ରେ ପରୀକ୍ଷଣ ବେଳେ ହଜିଥିଲା

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଥିବା ଦେଶର ଦ୍ୱିତୀୟ ଉଚ୍ଚତମ ପାହାଡ଼ ‘ନନ୍ଦା ଦେବୀ’ ଶିଖରରେ ୧୯୬୫ରେ ଏକ ଗୁପ୍ତ ମିଶନ୍‌ ଅନୁଷ୍ଠିତ ହୋଇଥିଲା। ଚୀନ୍‌ର ପରମାଣୁ କାର୍ଯ୍ୟକ୍ରମର ଗତିବିଧି ଉପରେ ନଜର ରଖିବା ଲାଗି ଏହି ମିଶନ୍‌ ଆମେରିକା ଆରମ୍ଭ କରିଥିଲା। ଏଥିପାଇଁ ଭାରତ ସହଯୋଗ କରିଥିଲା। ତେବେ ଖରାପ ପାଗ ଯୋଗୁ ମିଶନ୍‌ଟି ସଫଳ ହୋଇନଥିଲା। ଫଳରେ ସମସ୍ତେ ପାହାଡ଼ ଛାଡ଼ି ପଳାଇ ଆସିଥିଲେ। କିନ୍ତୁ ପରମାଣୁ ଯନ୍ତ୍ରାଂଶଟି ପାହାଡ଼ ଉପରେ ରହିଯାଇଥିଲା। ଅନିଷ୍ଟକାରୀ ପ୍ଲୁଟୋନିୟମ୍‌ଯୁକ୍ତ ଏହି ପରମାଣୁ ଯନ୍ତ୍ରାଂଶ ନନ୍ଦା ଦେବୀ ପାହାଡ଼ର ଶିଖରରେ ହଜିଯାଇଥିଲା। ଶତତ ଚେଷ୍ଟା ସତ୍ତ୍ୱେ ଏହାର ସନ୍ଧାନ ମିଳିନଥିଲା। ନନ୍ଦା ଦେବୀ ପାହାଡ଼ରେ ହଜିଯାଇଥିବା ଏହି ୟନ୍ତ୍ରାଂଶରେ ବିପୁଳ ରେଡିଏସନ୍‌ ରହିଛି। ଯଦି ଏହି ରେଡିଏସନ୍‌ ଗଙ୍ଗା ନଦୀରେ ମିଶେ, ଦେଶବାସୀଙ୍କ ପାଇଁ ଅନିଷ୍ଟକାରୀ ହେବ ବୋଲି କୁହାଯାଉଛି। ଏତେଦିନ ଧରି ହଜିଯାଇଥିଲେ ହେଁ, ଯନ୍ତ୍ରାଂଶର ରେଡିଏସନ୍‌ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏହା ପୂର୍ବବତ୍‌ ସକ୍ରିୟ ରହିଛି। ଏହାକୁ ନେଇ ଏବେ ପରିବେଶବିତ୍‌ଙ୍କ ମଧ୍ୟରେ ଛନକା ପିଶିଛି। ଏମିତି କି ଉତ୍ତରାଖଣ୍ଡର ପରିବେଶ ମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଚିନ୍ତାପ୍ରକଟ କରିଛନ୍ତି। ଖାଲି ସେତିକି ନୁହେଁ, ୧୯୬୫ ବେଳର ଏହି ଘଟଣା ଉପରେ ଏବେ ହଲିଉଡ୍‌ ଚଳଚ୍ଚିତ୍ର ନିର୍ମାତାଙ୍କ ଆଖି ପଡ଼ିଛି। ଏହି ଘଟଣାର ବାସ୍ତବତା ଓ ଏହାର କୁପ୍ରଭାବକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉଛି। ଆମେରିକା ଓ ଭାରତର ଏହି ଗୁପ୍ତ ମିଶନ୍‌ର ଦାୟିତ୍ୱ ତୁଲାଇଥିବା କ୍ୟାପ୍ଟେନ୍‌ ମନମୋହନ ସିଂହ କୋହଲିଙ୍କୁ ଏବେ ୮୮ ବର୍ଷ ହୋଇଥିବା ବେଳେ ସେ ଦିଲ୍ଲୀରେ ରହୁଛନ୍ତି। ହଲିଉଡ୍‌ ଚଳଚ୍ଚିତ୍ରରେ କୋହଲିଙ୍କ ଭୂମିକାରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି।

ଯନ୍ତ୍ରାଂଶର ଜୀବନକାଳ ୧୦୦ ବର୍ଷ
ହଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ହେବ

ଏ ପ୍ରସଙ୍ଗରେ ୮୮ ବର୍ଷୀୟ କୋହଲି କହିଛନ୍ତି, ୧୯୬୪ରେ ଚୀନ୍‌ର ପରମାଣୁ ପରୀକ୍ଷଣରୁ ଭାରତ ଓ ଆମେରିକାର ଗୁପ୍ତ ମିଶନ୍‌ ନେଇ କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ଚୀନ୍‌ ଏହାର ପ୍ରଥମ ପରମାଣୁ ପରୀକ୍ଷଣ କରିଥିଲା। ଆମେରିକା ଏହା ଉପରେ ନଜର ରଖିବାକୁ ଚାହୁଥିବାରୁ ଏଥିପାଇଁ ଭାରତର ସହଯୋଗ ଲୋଡ଼ିଥିଲା। ଏଥିପାଇଁ ନନ୍ଦାଦେବୀ ପାହାଡ଼ରେ ସେନ୍‌ସର ଲଗାଇବାକୁ ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏ ଅନୁମତି ମାଗିିଥିଲା। ଭାରତ ସରକାର ଏହାକୁ ଗ୍ରହଣ କରିଥିଲେ ଏବଂ ୧୯୬୫ ଜୁନ୍‌ ୨୩ରେ ଆମେରିକାସ୍ଥିତ ଅଲାସ୍କାର ମାଉଣ୍ଟ ମ୍ୟାକିନେଲିରେ ପ୍ରଥମ ପରୀକ୍ଷଣ କରାଯାଇଥିଲା। ଏହାପରେ ନନ୍ଦା ଦେବୀ ପାହାଡ଼ରେ ମିଶନ୍‌ ଆରମ୍ଭ ହୋଇଥିଲା। କିନ୍ତୁ ଖରାପ ପାଗ ଯୋଗୁ ସମସ୍ତେ ଫେରିଆସିଥିଲେ। ହେଲେ ପରମାଣୁ ଯନ୍ତ୍ରାଂଶ ପାହାଡ଼ ଉପରେ ରହିଯାଇଥିଲା। ୧୯୬୬ ଓ ୧୯୬୭ରେ ଯନ୍ତ୍ରାଂଶକୁ ଖୋଜିବା ପାଇଁ ଉଦ୍ୟମ କରାଯାଇଥିଲା। କିନ୍ତୁ ତାହା ମିଳିନଥିଲା। ଏହାପରେ ୧୯୬୮ରେ ଖୋଜିବା କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ କରାଯାଇଥିଲା ବୋଲି କୋହଲି କହିଛନ୍ତି। ତାଙ୍କ କହିବାନୁଯାୟୀ ପରମାଣୁ ଯନ୍ତ୍ରାଂଶର ଜୀବନ କାଳ ୧୦୦ ବର୍ଷ। ତେଣୁ ଏହା ନଷ୍ଟ ହେବାକୁ ଆହୁରି ୪୭ ବର୍ଷ ବାକି ଅଛି। ଯଦି କୌଣସି ଅଘଟଣ ଘଟେ ଏବଂ ଏହା ଋଷି ଗଙ୍ଗାରେ ମିଶେ, ତେବେ ପାଣି ବିଷାକ୍ତ ହୋଇପାରେ। ଏହାଦ୍ୱାରା ଅନେକ ଲୋକ ପ୍ରଭାବିତ ହୋଇପାରନ୍ତି। ଏହା ଲୋକଙ୍କ ଜୀବନ ବି ନେଇପାରେ। ସେହିଭଳି ଯଦି ଏହା ମୁଖ୍ୟ ଗଙ୍ଗାନଦୀରେ ମିଶିଯାଏ, ତେବେ ଅଧିକ ପାଣି ହେତୁ ଏହାର ପ୍ରଭାବ କମିଯାଇପାରେ ବୋଲି କୋହଲି କହିଛନ୍ତି।

ସମ୍ବନ୍ଧିତ ଖବର