ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ୍‌କୁ ନେଇ ବିବାଦ

କଂଗ୍ରେସର ବିରୋଧ ରାଜନୀତି ନୁହେଁ, କେବଳ ଦେଶଭକ୍ତି: ସରକାର

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ମଂଜୁରି ଆୟୋଗ (ୟୁଜିସି) ଦ୍ୱାରା ଦେଶବ୍ୟାପୀ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ‘ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ’ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଏହାକୁ କଂଗ୍ରେସ ବିରୋଧ କରିଛି। ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶର ସୁରକ୍ଷା ଏବଂ ଦେଶପ୍ରେମକୁ ନେଇ ଅଧିକ ସଚେତନତା ସୃଷ୍ଟି ଏହାର ମୂଳ ଲକ୍ଷ ଏବଂ ଏହି କାର୍ଯ୍ୟକ୍ରମକୁ କୌଣସି ଶିକ୍ଷା ଅନୁଷ୍ଠାନ ପାଇଁ ବାଧ୍ୟତାମୂଳକ କରାଯାଇ ନାହିଁ। ମାନବ ସଂମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଯେଉଁ ସଂସ୍ଥାମାନେ ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ ପାଳନ କରିବାକୁ ଚାହୁଛନ୍ତି ସରକାର ସେମାନଙ୍କୁ ହିଁ ଏ ବାବଦରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ଦେଇଛନ୍ତି। ଏଥିରେ କୌଣସି ରାଜନୀତି ନାହିଁ ଏବଂ କେବଳ ଦେଶଭକ୍ତି ଉପରେ ଏହା ଆଧାରିତ ଥିବାରୁ କଂଗ୍ରେସ ଅଯଥା ବିବାଦ ସୃଷ୍ଟି ନକରିବା ଶ୍ରେୟସ୍କର ହେବ ବୋଲି ଜାଭଡେକର କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଯେ ସମସ୍ତ ବିଶ୍ୱବିଦ୍ୟାଳୟରେ ୨୯ ସେପ୍‌୍‌ଟେମ୍ବରରେ ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ ପାଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଏବଂ ଯାଦବପୁର ବିଶ୍ୱବିଦ୍ୟାଳୟରେ ସର୍ଜିକାଲ ଷ୍ଟ୍ରାଇକ୍‌୍‌ ଦିବସ ପାଳନ ହେବ ନାହିଁ ବୋଲି ଆଜି ସେଠାରେ ଛାତ୍ରସଂଘ ପକ୍ଷରୁ ଘୋଷଣା କରାଯିବା ପରେ ଛାତ୍ର ମହଲରେ ଏହାକୁ ନେଇ ଅଶାନ୍ତି ଉପୁଜିଛି। ଅନ୍ୟପକ୍ଷରେ ପଶ୍ଚିମବଂଗରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍‌ ଦିବସ ପାଳନ ହେବନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର