ଲଣ୍ଡନ: ବ୍ରିଟେନ୍ ରାଜ ପରିବାରରେ ଦେଖା ଦେଇଥିବା ବିବାଦ ଏବେ ଚର୍ଚ୍ଚାକୁ ଆସିଛି। ଏହି ବିବାଦର ସମାଧାନ ପାଇଁ ରାଣୀ ଏଲିଜାବେଥ୍-୨ ନିଜର ସାନ ନାତି ହ୍ୟାରି ଓ ନାତୁଣୀ ବୋହୁ ମେଘାନ୍ ମର୍କେଲ୍ଙ୍କୁ ସାଣ୍ଡ୍ରିଗାମ୍ ଇଷ୍ଟେଟ୍କୁ ଆଲୋଚନା ପାଇଁ ଡାକିଛନ୍ତି। ଏଥିରେ ରାଣୀ ଏଲିଜାବେଥ୍-୨ଙ୍କ ପୁତ୍ର ପ୍ରିନ୍ସ ଚାର୍ଲ୍ସ, ବଡ଼ ନାତି ପ୍ରିନ୍ସ ୱିଲିୟମ୍ ପ୍ରମୁଖ ଉପସ୍ଥିତ ରହିବେ। ସୂଚନାଯୋଗ୍ୟ, ସାନ ନାତି ହ୍ୟାରି ଓ ନାତୁଣୀ ବୋହୂ ମେଘାନ୍ ମର୍କେଲ୍ ସମସ୍ତ ପ୍ରକାର ରାଜ ଦାୟିତ୍ବରୁ ଅବ୍ୟାହତି ନେଇ ସପରିବାର କାନାଡ଼ାରେ ରହିବେ ବୋଲି ଘୋଷଣା କରିଛନ୍ତି। ହ୍ୟାରି ଓ ମେଘାନ୍ଙ୍କୁ ମନେଇବା ପାଇଁ ପୂର୍ବରୁ ଅନେକ ଥର ବୈଠକ ବସି ସାରିଥିଲେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। ତେବେ ହ୍ୟାରି ଓ ମେଘାନ୍ଙ୍କ କାନାଡ଼ା ଚାଲିଯିବା ନିଷ୍ପତ୍ତିରେ ବଡ଼ଭାଇ ପ୍ରିନ୍ସ ୱିଲିୟମ୍ ଦୁଃଖ ପ୍ରକାଶ କରିଛନ୍ତି। ଆଗକୁ ରାଜ ପରିବାରର ଏକତା ବଜାୟ ରହିପାରିବ ନାହିଁ ବୋଲି ୱିଲିୟମ୍ ପ୍ରକାଶ କରିଛନ୍ତି।
ଏହାରି ମଧ୍ୟରେ ମେଘାନ୍ ବ୍ରିଟେନ୍ ରାଜ ପରିବାର ତ୍ୟାଗ କରି ନିଜ ମାଆଙ୍କ ସହ ଛୁଟି କାଟିବାକୁ କାନାଡା ଚାଲି ଯାଇଛନ୍ତି। ତେବେ ମେଘାନ୍ ବ୍ରିଟିଶ ରାଜ ପରିବାରକୁ ଫେରିବେ କି ନାହିଁ ସେଥିନେଇ ଅନିଶ୍ଚିତତା ଜାରି ରହିଛି। ମେଘାନ୍ ରାଜପରିବାର ଭିତରେ ନ ରହି ମୁକ୍ତ ଭାବେ ଜୀବନ ବିତାଇବାକୁ ଚାହୁଁଛନ୍ତି। ମେଘାନ୍ଙ୍କ ଏହି ନିଷ୍ପତ୍ତିରେ ହ୍ୟାରି ମଧ୍ୟ ରାଜିଥିବା କୁହାଯାଉଛି। ହ୍ୟାରି ଓ ମେଘାନ୍ ଅର୍ଥନୈତିକ ସ୍ତରରେ ସ୍ବାଧୀନ ହେବାକୁ ଇଛା କରୁଛନ୍ତି। ଅପରପକ୍ଷେ, ହ୍ୟାରିଙ୍କୁ ବିବାହ କରିବା ପୂର୍ବରୁ ମେଘାନ୍ ୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୩୫ କୋଟି ଟଙ୍କା)ର ମାଲିକାଣୀ ଥିଲେ। ହ୍ୟାରି ଓ ମେଘାନ୍ଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବ୍ରିଟେନ୍ ରାଜ ପରିବାରରେ ଅସନ୍ତୋଷ ଦେଖାଦେଇଛି। ଏହାର ସମାଧାନ ପାଇଁ ରାଣୀ ଏଲିଜାବେଥ୍-୨ ପୁତ୍ର, ନାତି ଓ ନାତୁଣୀ ବୋହୂଙ୍କୁ ଏକତ୍ର ଆଲୋଚନା ପାଇଁ ଡାକିଥିବା ନେଇ ଖବର ପ୍ରଚାର ହୋଇଥିବାବେଳେ ଚାର୍ଲସ ହ୍ୟାରି ଓ ବଡ଼ଭାଇ ୱିଲିୟମ୍ ଏହାକୁ ଖଣ୍ଡନ କରିଛନ୍ତି। ଏହା ମିଥ୍ୟ ଖବର ଓ ରାଜପରିବାରକୁ ନେଇ ଗୁଜବ ବୋଲି ହ୍ୟାରି କହିଛନ୍ତି।