ବଢ଼ୁଛି କଂଗ୍ରେସ କନ୍ଦଳ, ହାଇକମାଣ୍ଡଙ୍କୁ ଘେରିଲେ ଚିଦମ୍ବରମ

ନୂଆଦିଲ୍ଲୀ: ବିହାର ନିର୍ବାଚନ ଏବଂ ଅନ୍ୟ କେତେକ ରାଜ୍ୟ ଉପନିର୍ବାଚନରେ ‌ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା କଂଗ୍ରେସ ଦଳ ଭିତରେ ବିଦ୍ରୋହ ଦେଖାଦେଲାଣି। କପିଲ ସିବଲ, ତାରିକ ଅନୱରଙ୍କ ପରେ ଏବେ ପି ଚିଦମ୍ବରମଙ୍କ ଭଳି ବରିଷ୍ଠ କଂଗ୍ରେସ ନେତା ଦଳୀୟ ନେତୃତ୍ବକୁ ଘେରିବ‌ା ଆରମ୍ଭ କରିଛନ୍ତି। ଚିଦମ୍ବରମ କହିଛନ୍ତି ଯେ ଉପନିର୍ବାଚନ ଫଳାଫଳ କଂଗ୍ରେସର ସାଂଗଠନିକ ଦୁର୍ବଳତାକୁ ପଦାରେ ପକାଇଛି। ଏକ ଖବରକାଗଜକୁ ସାକ୍ଷାତ ଦେଇ ସେ କହିଛନ୍ତି ଯେ ଫଳାଫଳରୁ ଏମିତି ଲାଗୁଛି ଯେ ପାର୍ଟି ଭୁଶୁଡ଼ି ଯାଉଛି। ତୃଣମୂଳ ସ୍ତରରେ ସଂଗଠନ ମଜବୁତ ନହେବା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ। ବିହାରରେ ୭୦ଟି ଆସନରେ କଂଗ୍ରେସ ନିର୍ବାଚନ ଲଢ଼ିବାର ନଥିଲା। ୪୫ଟି ଆସନରେ ଲଢ଼ିଥିଲେ ଭଲ ହୋଇଥାନ୍ତା। ସେହିଭଳି ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକ ଉପ ନିର୍ବାଚନ ଫଳାଫଳ ନେଇ ମର୍ମାହତ ଥିବା ଉଲ୍ଲେଖ କରି ଚିଦମ୍ବରମ କହିଲେ ଯେ ଏହିସବୁ ରାଜ୍ୟରେ ସଂଗଠନ ଭୁଶୁଡ଼ିଗଲାଣି। ଏହାପରେ ଦଳୀୟ ନେତୃତ୍ବକୁ ଚିନ୍ତା କରିବାକୁ ପଡ଼ିବ। ଆସନ୍ତା ବର୍ଷ ପଶ୍ଚିମ ବଙ୍ଗ, କେରଳ, ତାମିଲନାଡ଼ୁ ଏବଂ ପୁଡୁଚେରିରେ ନିର୍ବାଚନ ହେବାକୁ ଯାଉଥିବାରୁ ଏବେଠାରୁ ସଂଗଠନକୁ ସଜାଡ଼ିବାକୁ ପଡ଼ିବ। ନହେଲେ ପରିସ୍ଥିତି ଦଳ ପାଇଁ ଭୟଙ୍କର ‌ହୋଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ତେବେ ବରିଷ୍ଠ ନେତାମାନଙ୍କ ଏଭଳି ମନ୍ତବ୍ୟକୁ ହଜମ କରି ପାରି ନାହାନ୍ତି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଂଜନ ଚୌଧୁରୀ। ସେ ଏହି ନେତାମାନଙ୍କର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ନେତାମାନେ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇବା ପରିବର୍ତେ ସୋନିଆ ଏବଂ ରାହୁଲଙ୍କ ସହିତ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା। ଏହାସହିତ କଠୋର ମନ୍ତବ୍ୟ ଦେଇ ସେ କହିଛନ୍ତି, ଯଦି କିଛି ନେତା ଭାବୁଛନ୍ତି କଂଗ୍ରେସ ସେମାନଙ୍କ ପାଇଁ ଠିକ୍‌ ଦଳ ନୁହେଁ ତେବେ ସେମାନେ ଏକ ନୂଆ ଦଳ ଗଢ଼ିପାରନ୍ତି ନଚେତ୍‌ ଅନ୍ୟ କୌଣସି ଦଳରେ ଯୋଗ ଦେଇପାରନ୍ତି। କିନ୍ତୁ ସେମାନେ ଏଭଳି ଲଜ୍ଜାଜନକ କାର୍ଯ୍ୟରେ ଲିପ୍ତ ହେବା ଉଚିତ ନୁହେଁ। ଏହି ନେତାମାନେ କଂଗ୍ରେସ ସଭାପତି ସୋନିଆ ଏବଂ ରାହୁଲଙ୍କ ସହ ଘନିଷ୍ଠ। ସେମାନଙ୍କ ସହ ମଧ୍ୟ ‌ସେମାନେଏହି ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା କରିପାରିଥାନ୍ତେ। ବିହାର ନିର୍ବାଚନ ସମୟରେ ଏହି ନେତାମାନେ କେଉଁଠି ଥିଲେ ବୋଲି ଚୌଧୁରୀ ପ୍ରଶ୍ନ କରିଛନ୍ତି। ଏସି ରୁମରେ ବସି କହିବା ପରିବର୍ତେ ଦଳୀୟ କର୍ମୀ ଓ କର୍ମକର୍ତାମାନଙ୍କ ପାଖକୁ ଯିବା ଉଚିତ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ସିବଲ ଏକ ସାକ୍ଷାତକାରରେ କହିଥିଲେ କଂଗ୍ରେସର ଅବକ୍ଷୟ ଘଟିଛି। ଆତ୍ମସମୀକ୍ଷାର ସମୟ ମଧ୍ୟ ଶେଷ ହୋଇଯାଇଛି। ଦଳ ନିଜର ଭୁ୍ଲ୍‌ ଚିହ୍ନଟ କରିବା ଉଚିତ୍‌। ତାଙ୍କର ଏହି ମନ୍ତବ୍ୟକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଲମାନ ଖୁର୍ସିଦ ପ୍ରମୁଖ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର