ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୀର ସାବରକରଙ୍କୁ ନେଇ ଦେଇଥିବା ବୟାନକୁ କେନ୍ଦ୍ର କରି ମହାରାଷ୍ଟ୍ରରେ କଂଗ୍ରେସ-ଏନ୍ସିପି-ଶିବସେନା ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ ବୀର ସାବରକରଙ୍କୁ ଅପମାନିତ କରିବା କୌଣସି ସ୍ଥିତିରେ ବି ଗ୍ରହଣୀୟ ନୁହେଁ ବୋଲି ଶିବସେନା ଚେତାଇ ଦେବା ସହ ରାହୁଲ ଦେଶର ଇତିହାସକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦେଇଛି। ଏହି ମାମଲାରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ରାହୁଲ ଗତକାଲି ଏକ ରୢାଲିରେ କହିଥିଲେ, ଦେଶକୁ ଦୁଷ୍କର୍ମର ରାଜଧାନୀ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗିବି ନାହିଁ। ମୁଁ ରାହୁଲ ଗାନ୍ଧି, ରାହୁଲ ସାବରକର ନୁହେଁ ବୋଲି ସେ କହିଥିଲେ। ରାହୁଲଙ୍କ ବୟାନ ନେଇ ଶିବସେନାକୁ ମଧ୍ୟ ଆଜି ବିଜେପି ନେତାମାନେ ଘେରିଛନ୍ତି। ଶିବସେନା କଂଗ୍ରେସର ନୀତିକୁ ଆପଣାଇ ସରକାର ଚଳାଇବ କି ରାଜ୍ୟର ସ୍ବାର୍ଥ ଓ ସ୍ବାଭିମାନକୁ ଗୁରୁତ୍ବ ଦେବ ତାହା ଚିନ୍ତାକରୁ ବୋଲି ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି। ଆଜି ସାବରକରଙ୍କ ସମର୍ଥକମାନେ ମୁମ୍ବାଇରେ ରାହୁଲଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କର ପୋଷ୍ଟର୍ ଜାଳିଥିଲେ। ଏହି ମାମଲାରେ ସାବରକରଙ୍କ ନାତି ରଂଜିତ ସାବରକର କହିଛନ୍ତି ଯେ ସରକାର ରାହୁଲ ଗାନ୍ଧିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ଉଚିତ। ରାହୁଲଙ୍କ ବୟାନ ପାଇଁ ସେ ମାନହାନି ମକଦ୍ଦମା କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ଦେଶର ମହାପୁରୁଷଙ୍କୁ ଅପମାନିତ କରି ରାହୁଲ ଗାନ୍ଧୀ ଦେଶରେ ଅଶାନ୍ତି ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି ବୋଲି ରଂଜିତ କହିଛନ୍ତି। ଶିବସେନା ନେତା ସଂଜୟ ରାଉତ ଆଜି କହିଛନ୍ତି ଯେ ଆମେ ଗାନ୍ଧୀ-ନେହରୁଙ୍କୁ କେବେ ଅପମାନିତ କରିନାହୁଁ, ତେଣୁ ରାହୁଲ ଗାନ୍ଧୀ ଏ ସଂପର୍କରେ ବହୁତ ଚିନ୍ତା କରି ବୟାନ ଦେବା ଉଚିତ। ସାବରକରଙ୍କୁ ନେଇ ଆମେ କଂଗ୍ରେସ ସହିତ କୌଣସି ସାଲିସ କରିବୁ ନାହିଁ ବୋଲି ମଧ୍ୟ ଶିବସେନା ସ୍ପଷ୍ଟ କରିଦେଇଛି।
ସାବରକରଙ୍କୁ ରାହୁଲଙ୍କ ଅପମାନ ପ୍ରସଙ୍ଗ: ମହାରାଷ୍ଟ୍ର ମେଣ୍ଟରେ ଫାଟ
ସୋନିଆଙ୍କ ସହ କଥାହେବେ ଉଦ୍ଧବ, ମାନହାନି ମକଦ୍ଦମା କରିବେ ସାବରକରଙ୍କ ନାତି
/sambad/media/post_attachments/wp-content/uploads/2019/12/srg654sf98hg4sf56h4sf56h465sf4hsf65hhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)