ନିର୍ବାଚନ କମିଶନରେ ବିବାଦ : ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ନିର୍ଣ୍ଣୟରେ ମତ ଉଲ୍ଲେଖ କରା ନ ଯିବାରୁ ବୈଠକ ବର୍ଜନ କଲେ ନିର୍ବାଚନ କମିଶନର ଅଶୋକ ଲଭାସା
ନୂଆଦିଲ୍ଲୀ: ପୁଣି ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ସଂସ୍ଥା ବିବାଦ ଘେରକୁ ଆସିଛି। ଭାରତୀୟ ନିର୍ବାଚନ କମିଶନରେ ଦେଖିବାକୁ ମିଳିଛି ବିରୋଧାଭାସର ସ୍ବର । ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ବିରେଧରେ ସ୍ବର ଉଠାଇଛନ୍ତି ନିର୍ବାଚନ କମିଶନର ଅଶୋକ ଲଭାସା। ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ନିଷ୍ପତ୍ତି ନିଆଯାଉଥିବା ବୈଠକରୁ ନିଜକୁ ଦୂରେଇ ନେଇଛନ୍ତି କମିଶନର ଲଭାସା । ଆଚରଣବିଧି ଉଲ୍ଲଂଘନ ସଂପର୍କିତ ବୈଠକରେ ସେ ଦେଉଥିବା ମତ ଚୂଡ଼ାନ୍ତ ନିଷ୍ପତ୍ତିନାମାରେ ଉଲ୍ଲେଖ କରାଯାଉ ନଥିବା ଦର୍ଶାଇ ସେ ଏ ଭଳି ପଦକ୍ଷେପ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତିନି ଜଣିଆ ନିର୍ବାଚନ କମିଶନ ବୈଠକରେ ତାଙ୍କ ମତ ଶୁଣାଯାଉନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଅଶୋକ ଲଭାସା । ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ନିର୍ଣ୍ଣୟ ସମୟରେ ତାଙ୍କର ମତ ‘ଅଳ୍ପମତ’ ହୋଇଥିଲେ ହେଁ ତାହା ରେକର୍ଡ କରାଯାଉନଥିବାରୁ ସେ ବୈଠକରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ମେ’ ୪ ତାରିଖରେ ଏ ନେଇ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କୁ ପତ୍ର ଲେଖି ଜଣାଇଥିଲେ। ଏହାପରେ ମେ’ ୧୦ ଓ ୧୪ରେ ପୁନଶ୍ଚ ପତ୍ର ଲେଖି ନିଜର ମତ ରଖିଥିଲେ। ମାତ୍ର ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ନଥିରେ ତାଙ୍କର ମତ ଉଲ୍ଲେଖ କରା ନ ଯିବାରୁ ସେ ବୈଠକରୁ ନିଜକୁ ଦୂରେଇ ରଖିବାକୁ ସ୍ଥିର କରିଛନ୍ତି।
ଏହାଛଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆସିଥିବା ଆଚରଣବିଧି ଉଲ୍ଲଂଘନ ମାମଲାରେ ତାଙ୍କ ମତକୁ ରେକର୍ଡ କରାଯାଇନଥିଲ । ତାଙ୍କ ମତକୁ ଅଣଦେଖା କରି ପ୍ରାୟ ୬ଟି ଆଦର୍ଶ ଆଚରଣବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ୍ । ଏପରିକି ଏପ୍ରିଲ ୨୧ରେ ମୋଦି ଦେଇଥିବା ଭାଷଣରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଏଥିରେ ମୋଦିଙ୍କୁ କ୍ଲିନଚିଟ୍ ଦିଆଯାଇଥିଲା । ସେତେବେଳେ ମଧ୍ୟ ତାଙ୍କ ମତକୁ ଅଣଦେଖା କରାଯାଇଥିଲା । କମିଶନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ସହ ଅଶୋକ ଲଭାସା ଓ ସୁଶୀଲ ଚନ୍ଦ୍ରା ଦୁଇ ସଦସ୍ୟ କମିଶନର ଅଛନ୍ତି ।