ଭାରତ-ମିଆଁମାର୍‌ ସୀମାରେ ଉତ୍ତେଜନା

ଭାରତ ସୀମାର ୩ କିମି ଭିତରକୁ, ପିଲାର୍‌ ଘୁଞ୍ଚାଇଲା ମିଆଁମାର୍‌

ଇମ୍ଫାଲ: ଭାରତ-ମିଆଁମାର୍‌ ସୀମାର ମୋରେ ସବ୍‌୍‌ ଡିଭିଜନ ଅଂଚଳରେ ମିଆଁମାର୍‌ର ଦାଦାଗିରି ଯୋଗୁଁ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ସୀମା ନିର୍ଦ୍ଧାରଣ ପାଇଁ ବହୁ ବର୍ଷ ତଳୁ ପୋତାଯାଇଥିବା ଏକ ପିଲାର୍‌କୁ ମିଆଁମାର ସେନା ସହାୟତାରେ ସୀମାନ୍ତ ଗ୍ରାମବାସୀମାନେ ଭାରତୀୟ ଅଂଚଳର ୩ କିମି ଭିତରକୁ ଘୁଞ୍ଚାଇ ଥିବାରୁ ଏହାକୁ ନେଇ ମୁହାଁମୁହିଁ ସ୍ଥିତି ଉପୁଜିଛି। ମେର୍‌୍‌ ଅଂଚଳରେ ଏହି ଘଟଣା ଘଟିଥିବା ବେଳେ ଆଜି ପ୍ରାୟ ୧ ହଜାର ସୀମାନ୍ତ ଗ୍ରାମବାସୀ ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଥିଲେ। ମାମଲା ଜଟିଳ ହେଉଥିବାରୁ ରାଜସ୍ୱ ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପ୍ରାୟ ୨ ମାସ ତଳେ ମଣିପୁର ସେନା ଓ ସ୍ଥାନୀୟ ବାସିନ୍ଦା ୬ଟି ପିଲାର୍‌ ଘୁଞ୍ଚାଇଥିଲେ। ଗତକାଲି ପୁଣିଥରେ ୮୧ ନମ୍ବର ପିଲାର୍‌କୁ ୩ କିମି ଭିତରକୁ ଘୁଞ୍ଚାଯିବା ପଛରେ ବଡ଼ ଷଡ଼ଯନ୍ତ୍ର ରହିଥିବା ଅନୁମାନ କରାଯାଉଛି । ସୀମରେ ଅଶାନ୍ତି ସୃଷ୍ଟି କରି ଭାରତୀୟ ଗ୍ରାମଗୁଡ଼ିକ ଉପରେ ଚାପ ସୃଷ୍ଟି କରିବାକୁ ଏହା ମିଆଁମାର୍‌ ସେନାର କୌଶଳ ବୋଲି କୁହାଯାଉଛି। ଆଜି ସ୍ଥାନୀୟ ଲୋକେ ମିଆଁମାରର କାର୍ଯ୍ୟକୁ ତୀବ୍ର ବିରୋଧ କରିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଘଟଣାସ୍ଥଳରେ ଧାରା ୧୪୪ ଜାରି କରାଯାଇଛି। ମଣିପୁର ରାଜସ୍ୱ ମନ୍ତ୍ରୀ କରମ ଶ୍ୟାମ ଆଜି ସୀମା ଅଂଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି ଯେ ପିଲାର ଘୁଞ୍ଚା ଯାଇଥିବା ସଂକ୍ରାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଛି ଏବଂ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତକାଲି ଏକ ବୈଠକ ହେବ। ତେବେ ସୀମା ସ୍ଥିତି ନେଇ ଉଦ୍‌୍‌ବେଗର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର