କର୍ଣ୍ଣାଟକ କଂଗ୍ରେସରେ ଅଡ଼ୁଆ: ଡିକେ ଶିବକୁମାର ବିରୋଧରେ ଗୁରୁତର ଅଭିଯୋଗ

ଭିଡିଓ ଭାଇରାଲ ହେବାପରେ କାର୍ଯ୍ୟାନୁଷ୍ଠାନ, ସିଦ୍ଦରମେୟା-ୟେଦୁରପ୍ପା ଗୁପ୍ତ ବୈଠକ କରିଛନ୍ତି: କୁମାରସ୍ବାମୀ

ବାଙ୍ଗାଲୋର: କର୍ଣ୍ଣାଟକ କଂଗ୍ରେସ ବର୍ତ୍ତମାନ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ିଛି କାରଣ ଏକ ଲିକ୍ ହୋଇଥିବା ଭିଡିଓରେ ଜଣେ ପୂର୍ବତନ ସାଂସଦ ଓ ଜଣେ ମିଡ଼ିଆ ସଂଯୋଜକ ରାଜ୍ୟ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ନିନ୍ଦା କରୁଥିବା ଦେଖାଯାଉଛି। ତେବେ ରାଜ୍ୟ କଂଗ୍ରେସ ମୁଖିଆଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେବା ଅଭିଯୋଗରେ କର୍ଣ୍ଣାଟକ କଂଗ୍ରେସର ଡିସିପ୍ଲିନାରି କମିଟି ପକ୍ଷରୁ ସମ୍ପୃକ୍ତ ପୂର୍ବତନ ସାଂସଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ମିଡ଼ିଆ ସଂଯୋଜକଙ୍କୁ କାର୍ଯ୍ୟରୁ ବିଦା କରିବାକୁ ସୁପାରିସ କରାଯାଇଛି। ସୂଚନାଯୋଗ୍ୟ, ଏହି ଭିଡିଓରେ ପୂର୍ବତନ ଲୋକସଭା ଏମ୍‌ପି ଭିଏସ୍ ଉଗ୍ରାପ୍ପା ଓ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସଂଯୋଜକ ଏମ୍‌ଏ ସଲିମ ଅହମଦ ଶିବକୁମାର ଦୁର୍ନୀତିରେ ସମ୍ପୃକ୍ତ ଥିବା ଓ ତାଙ୍କ ସହଯୋଗୀମାନେ ଲାଞ୍ଚ ନେଉଥିବା ବିଷୟରେ ଆଲୋଚନା କରୁଥିବା ଦେଖାଯାଉଛି। ସଲିମ କହୁଥିବାର ଶୁଣାଯାଉଛି: ‘ଏହା ଆଗରୁ ୬ରୁ ୮ ପ୍ରତିଶତ ଥିଲା, ପରେ ୧୦ରୁ ୧୨ ପ୍ରତି‌ଶତ ହୋଇଛି। ଏସବୁ ଡିକେ ଧାର୍ଯ୍ୟ କରିଛନ୍ତି। ମୁଲଗୁଣ୍ଡ (ଡିକେଙ୍କ ସହଯୋଗୀ) ୫୦ରୁ ୧୦୦ କୋଟି ଟଙ୍କା କମେଇଛନ୍ତି। କଳ୍ପନା କରନ୍ତୁ ଯଦି ମୁଲଗୁଣ୍ଡଙ୍କ ପାଖରେ ଏତେ ଟଙ୍କା ଅଛି, ଡିକେଙ୍କ ପାଖରେ କେତେ ଥିବ।’

ଭିଏସ୍‌ ଉଗ୍ରାପ୍ପା ଓ ସଲିମ ଆହୁରି ଆଲୋଚନା କରିବା ଶୁଣାଯାଉଛି କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଦଳ ପାଇଁ କେତେ ଅନୁପଯୋଗୀ। ‘ଡିକେଙ୍କୁ ସଭାପତି କରିବା ପାଇଁ ଆମେ ସମସ୍ତେ ଲଢ଼ିଲୁ, କିନ୍ତୁ ସେ ଆମକୁ ଓ ଦଳକୁ ଆଘାତ ଦେଲେ’ ବୋଲି ଉଗ୍ରାପ୍ପା କହୁଥିବାର ଶୁଣାଯାଉଛି। ଡିକେ ଯେମିତି ଥଙ୍ଗେଇ ଥଙ୍ଗେଇ କଥାବାର୍ତ୍ତା କରନ୍ତି, ସେଥିରୁ ସେ ମଦ ପିଇ ମାତାଲ ଥିବାର ଜଣାପଡ଼େ। ତାଙ୍କୁ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ସହ ତୁଳନା କରାଯାଇପାରେ ବୋଲି ସଲିମ କହିଛନ୍ତି।
ତେବେ ପ୍ରଥମ ଥର ପାଇଁ ରାଜ୍ୟ କଂଗ୍ରେସ ମୁଖିଆ ଡିକେ ଶିବକୁମାର ବିବାଦକୁ ଆସି ନାହାନ୍ତି। ଗତ ଜୁଲାଇ ମାସରେ ତାଙ୍କ କାନ୍ଧରେ ହାତ ପକାଇଦେବାରୁ ସେ ଜଣେ ଦଳୀୟ କର୍ମୀଙ୍କୁ ଚଟକଣା ମାରିବାର କ୍ୟାମେରାରେ ରେକର୍ଡ କରାଯାଇଥିଲା। ସଦ୍ୟ ଲିକ୍ ହୋଇଥିବା ଭିଡିଓଟି ରାଜ୍ୟରେ ରାଜନୈତିକ ଚଞ୍ଚଳତା ସୃଷ୍ଟି କରିଥିବା ବେଳେ ରାଜ୍ୟ କଂଗ୍ରେସ ଅନୁଶାସନ କମିଟି ଉଗ୍ରାପ୍ପା ଓ ସଲିମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଲିମଙ୍କୁ ମିଡ଼ିଆ ସଂଯୋଜକ ପଦରୁ ହଟାଯାଇଛି ଏବଂ ଉଗ୍ରାପ୍ପାଙ୍କୁ କମିଟି କାରଣ ଦର୍ଶାଅ ନୋଟିସ ପଠାଇଥିବା ଜଣାପଡ଼ିଛି।

ସିଦ୍ଦରମେୟା-ୟେଦୁରପ୍ପା ଗୁପ୍ତ ବୈଠକ କରିଛନ୍ତି: କୁମାରସ୍ବାମୀ
ବେଙ୍ଗାଲୁରୁ: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା‌ ଏବଂ ବିଏସ୍‌ ‌ୟେଦୁରପ୍ପା ଗତକାଲି ବିଳମ୍ବିତ ରାତିରେ ଏକ ଗୁପ୍ତ ବୈଠକ କରିଥିଲେ ବୋଲି ଜେଡିୟୁ ନେତା ଏଚ୍‌ଡି କୁମାରସ୍ବାମୀ ଦାବି କରିଛନ୍ତି। ‌ତେବେ ଏହି ଦାବିକୁ ଉଭୟ ୟେଦୁରପ୍ପା ଏବଂ ସିଦ୍ଦରମେୟା ଖଣ୍ଡନ କରିଛନ୍ତି। କୁମାରସ୍ବାମୀ କହିଛନ୍ତି, ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁପ୍ତ ବୈଠକର ଫଳ ସ୍ବରୁପ ‌ୟେଦୁରପ୍ପାଙ୍କ ସହଯୋଗୀଙ୍କ ଘରେ ଆଇଟି ଚଢ଼ଉ ହୋଇଥିଲା। ତେବେ ସିଦ୍ଦରମେୟା କୁମାରସ୍ବାମୀଙ୍କ ଏହି ଦାବିକୁ ଖଣ୍ଡନ କରିବା ସହ କହିଛନ୍ତି, ଗତ ଫେବ୍ରୁଆରି ୨୭ ତାରିଖରେ ସେ ୟେଦୁରପ୍ପାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିଥି‌ଲେ। କିନ୍ତୁ ସେବେଠାରୁ ସେ ତାଙ୍କୁ ଆଉ ଭେଟିନାହାନ୍ତି। ଯଦି କୁମାରସ୍ବାମୀ କରିଥିବା ଦାବି ପ୍ରମାଣ କରିଦିଅନ୍ତି ତେବେ ସେ ରାଜନୀତି ଛାଡ଼ି ଦେବେ ବୋଲି କହିଛନ୍ତି। ୟେଦୁରପ୍ପା ମଧ୍ୟ କୁମାରସ୍ବାମୀଙ୍କ ଦାବି ଖଣ୍ଡନ କରିଛନ୍ତି।

ସମ୍ବନ୍ଧିତ ଖବର