କର୍ଣ୍ଣାଟକ ସଙ୍କଟ: ସସ୍‌ପେନ୍ସ ବଢ଼ାଉଛନ୍ତି, ବିଦ୍ରୋହୀ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଜାରି ରହିଥିବା ବେଳେ ବିଦ୍ରୋହୀ ବିଧାୟକମାନେ ସସ୍‌ପେନ୍ସ ବଢ଼ାଇ ଚାଲିଛନ୍ତି। କଂଗ୍ରେସର ରଣନୀତିକାର ଡି.କେ. ଶିବକୁମାର କଂଗ୍ରେସ-ଜେଡିଏସ୍‌ ସରକାରକୁ ବଞ୍ଚାଇବା ପାଇଁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି। ଗତକାଲି ଇସ୍ତଫା ପ୍ରତ୍ୟାହାର କରିବେ ବୋଲି ସୂଚନା ଦେଇଥିବା ବିଦ୍ରୋହୀ ବିଧାୟକ କେ.ଟି.ଏମ୍‌. ନାଗରାଜ ଆଜି ପୁଣି ମୁମ୍ବାଇ ପହଞ୍ଚିଛନ୍ତି। ସେ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ମନାଇବେ ବୋଲି ଶିବକୁମାର କହୁଥିଲେ ମଧ୍ୟ ଏ ନେଇ ଅନିଶ୍ଚିତତା ଲାଗି ରହିଛି। ନାଗରାଜ ଜେଡିଏସ୍ ସହ ସରକାର ଗଠନ ନେଇ ଦଳର ନୀତିକୁ ଘୋର ବିରୋଧ କରୁଥିବାରୁ ସେ ପ୍ରକୃତରେ ଇସ୍ତଫା ପ୍ରତ୍ୟାହାର କରିବେ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଛି। ତେବେ ବିଦ୍ରୋହୀ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ ୩ ଜଣଙ୍କ ସହ କଥାବାର୍ତ୍ତା ସକରାତ୍ମକ ରହିଥିବା ନେଇ ଶିବକୁମାରଙ୍କ ବୟାନ ପରେ ଏବେ କଂଗ୍ରେସ ଶିବିରରେ ନୂଆ ଆଶା ସଂଚାର ହୋଇଛି । ‘ଦଳର ସବୁ ବିଧାୟକଙ୍କ ଉପରେ ମୋର ଭରସା ରହିଛି । ସେମାନେ କଂଗ୍ରେସ ଟିକଟରେ ନିର୍ବାଚିତ ହୋଇଥିବାରୁ ଦଳ ଛାଡ଼ି ଅନ୍ୟତ୍ର ଯିବେ ନାହିଁ’ ବୋଲି ଶିବକୁମାର କହିଛନ୍ତି। ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ କେବଳ ବିଜେପି ଦାୟୀ ଏବଂ ସରକାର ଭାଙ୍ଗିବା ପାଇଁ ବିଜେପିର ବଡ଼ ଷଡ଼ଯନ୍ତ୍ର ଯୋଗୁଁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କଲେ ୟେଦୁରପ୍ପା
ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ସଂଖ୍ୟାଗରିଷ୍ଠତା ହରାଇଥିବାରୁ ଅଧିକ ନାଟକ ନକରି ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ବିଏସ୍‌ ୟେଦୁରପ୍ପା ଆଜି ଦାବି କରିଛନ୍ତି। ୧୫ରୁ ଅଧିକ ବିଧାୟକଙ୍କ ଇସ୍ତଫା ପରେ ମେଣ୍ଟ ସରକାର କ୍ଷମତାରେ ରହିବା ଅଧିକାର ହରାଇଛି ଏବଂ ଏଭଳି ସ୍ଥିତିରେ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରେ ମୁହୂର୍ତ୍ତଟିଏ ମଧ୍ୟ ରହିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ସୋମବାର ଆସ୍ଥା ଭୋଟ୍‌ ପାଇଁ ଆମେ ପ୍ରସ୍ତୁତ ରହିଛୁ ଏବଂ ବାଚସ୍ପତି ଏ ଦିଗରେ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି। ବିଧାୟକଙ୍କ ଇସ୍ତଫା ମାମଲା ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ଥିବା ଏବଂ ଏ ନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଥିବାରୁ ବାଚସ୍ପତି କୌଣସି ପରିସ୍ଥିତିରେ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ ବୋଲି ୟେଦୁରପ୍ପା କହିଛନ୍ତି।

ସମ୍ବନ୍ଧିତ ଖବର