କେରଳ ସ୍ଥିତି ସାଂଘାତିକ, ମୃତ୍ୟୁସଂଖ୍ୟା ୧୮୦ ଛୁଇଁଲା

ରିଲିଫ୍‌ କାର୍ଯ୍ୟରେ ବାଧା, ବନ୍ୟାସ୍ଥିତି ବୁଲି ଦେଖିଲେ ଗୃହମନ୍ତ୍ରୀ

ଥିରୁଅନନ୍ତପୁରମ୍‌: ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ଅଧା କେରଳ ବୁଡ଼ିଯାଇଥିଲା। ୫୦ହଜାରୁ ଊର୍ଧ୍ୱ ଲୋକ ବାସହରା ହୋଇଯାଇଥିଲେ। କିନ୍ତୁ ବର୍ଷା ସାମାନ୍ୟ ଛାଡ଼ିବା ଯୋଗୁ ସରକାର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଥିଲା। କିନ୍ତୁ କିଛି ଘଣ୍ଟାର ବିରତି ପରେ ରାଜ୍ୟରେ ପୁଣି ବର୍ଷାର ପ୍ରକୋପ ବୃଦ୍ଧି ପାଇଛି। ପୂର୍ବ ଭଳି ବର୍ଷା ବିଭୀଷିକା ରାଜ୍ୟବାସୀଙ୍କୁ ଡରାଇଛି। ଆଜି ସକାଳୁ କେରଳର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରେ ଲାଗିଛି। ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷା ଯୋଗୁ ରିଲିଫ୍‌ କାର୍ଯ୍ୟ ବି ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି। ଅନେକ ଜାଗାରେ ଭୂସ୍ଖଳନ ଘଟିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କେରଳର ଇଡୁକି ଓ ଇଦାମଲୟାର ଜଳଭଣ୍ଡାରରେ ଜଳ ସ୍ତର ଖସିଥିବାରୁ ସ୍ଥାନୀୟ ଲୋକମାନେ କିଛିଟା ଆଶ୍ୱସ୍ତି ହୋଇଛନ୍ତି। କିନ୍ତୁ ଆଜି ବର୍ଷା ପୁଣି ବଢ଼ିଥିବାରୁ ଭବିଷ୍ୟତରେ ପରିସ୍ଥିତି ଉଦ୍‌ବେଗଜନକ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁ ଶନିବାର ସୁଦ୍ଧା ରାଜ୍ୟରେ ୩୭ରୁ ଊର୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ଆଜି କୌଣସି ମୃତାହତ ଘଟଣା ରେକର୍ଡ କରାଯାଇ ନାହିଁ। ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ହେଲିକପ୍ଟର ଯୋଗେ ରାଜ୍ୟର ବିଭିନ୍ନ ବନ୍ୟାଞ୍ଚଳ ସ୍ଥିତି ବୁଲି ଦେଖିଛନ୍ତି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜନାଥଙ୍କ ସହିତ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏବଂ କେନ୍ଦ୍ର ମନ୍ତ୍ରୀ କେ ଜେ ଆଲ୍‌ଫୋନ୍ସ ମଧ୍ୟ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି। ଆଗାମୀ ଦୁଇଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଫଳରେ ବନ୍ୟାଜନିତ ସଙ୍କଟ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେଣୁ ସରକାରଙ୍କ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର