ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ହ୍ରାସ ପାଇଁ ଚୀନ୍ ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ କମାଣ୍ଡରସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବାର ଦୁଇ ଦିନ ପରେ ଚୀନ୍ ଦେଇଥିବା ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେଇଛି। ଗତ ରବିବାର ଭାରତର ୧୪ କର୍ପସ କମାଣ୍ଡର ଲେ. ଜେନେରାଲ୍ ହରିନ୍ଦର ସିଂହ ଏବଂ ଚୀନ୍ର ଦକ୍ଷିଣ ଜିଞ୍ଜିଆଙ୍ଗ ସାମରିକ ଜିଲ୍ଲା ମୁଖ୍ୟ ମେ. ଜେନେରାଲ ଲିଉ ଲିନ୍ଙ୍କ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ପର୍ଯ୍ୟାୟ ସାମରିକ ସ୍ତରୀୟ ଆଲୋଚନା ବେଳେ ଭାରତ ପାଙ୍ଗଙ୍ଗ ସୋ ହ୍ରଦ ଏବଂ ଗୋଗ୍ରାର ୧୪ ନଂ ପାଟ୍ରୋଲିଂ ପଏଣ୍ଟ୍ ଇଲାକାରୁ ସମ୍ପୂର୍ଣ୍ଣ ଚୀନୀ ସୈନ୍ୟ ପ୍ରତ୍ୟାହାର ପାଇଁ ପୁରୁଣା ଦାବିକୁ ଦୋହରାଇଥିଲା। ଅପରପକ୍ଷେ, ପାଙ୍ଗଙ୍ଗ ହ୍ରଦ ଇଲାକାରେ ଉଭୟ ପକ୍ଷ ସମାନ ଭାବରେ ପଛକୁ ହଟିବା ପାଇଁ ଚୀନ୍ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
ତେବେ ଭାରତର ଉଚ୍ଚଶକ୍ତି ସଂପନ୍ନ ଚୀନ୍ ଅନୁଧ୍ୟାନ କମିଟି(ସିଏସ୍ଜି) ଗତ ମଙ୍ଗଳବାର ସାମ୍ପ୍ରତିକ ସ୍ଥିତି ଏବଂ କମାଣ୍ଡରସ୍ତରୀୟ ଆଲୋଚନାର ନିର୍ଯାସ ବିଷୟରେ ଆଲୋଚନା କରିବା ପରେ ନିଜର ନିଷ୍ପତ୍ତି ସମ୍ପର୍କରେ ଭାରତୀୟ ସେନାକୁ ଅବଗତ କରାଇଛି। ଚୀନ୍ର ଏହି ପ୍ରସ୍ତାବକୁ ଗ୍ରହଣ କରିବାର ମାନେ ସେଠାରେ ଭାରତର ରହିଥିବା ବହୁ ଐତିହାସିକ ଘାଟିଗୁଡ଼ିକୁ ବିପନ୍ନ କରିଦେବା ସହ ସମାନ ବୋଲି ଭାରତ ଅନୁଭବ କରୁଛି। ସୁତରାଂ କୌଣସି ପରିସ୍ଥିତିରେ ବି ଚୀନ୍ର ଏହି ସମାନ ଭାବରେ ପଛକୁ ହଟିବା ପ୍ରସ୍ତାବକୁ ସମର୍ଥନ କରେନାହିଁ କି ଗ୍ରହଣ ମଧ୍ୟ କରେନାହିଁ ବୋଲି ଚୀନୀ ସେନାକୁ ଜଣାଇଦେବାକୁ ସିଏସ୍ଜି କହିଛି।
ସୂଚନା ଥାଉ କି, ପାଙ୍ଗଙ୍ଗ ସୋ ହ୍ରଦ ସନ୍ନିକଟ ଫିଙ୍ଗର ପଏଣ୍ଟ୍ ୮ରୁ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଏସି) ଆରମ୍ଭ ବୋଲି ଭାରତ କହି ଆସୁଥିବା ବେଳେ ଫିଙ୍ଗର ପଏଣ୍ଟ୍ ୨କୁ ଚୀନ୍ ଏଲ୍ଏସି ବୋଲି ଦାବି କରୁଛି। ଏଣେ ଫିଙ୍ଗର ପଏଣ୍ଟ୍ ୮ରୁ ଫିଙ୍ଗର ପଏଣ୍ଟ୍ ୪ (ପାର୍ବତ୍ୟାଞ୍ଚଳରୁ ହ୍ରଦ) ଯାଏ ଦୀର୍ଘ ୮ କିମି ଅଞ୍ଚଳ ଗତ ମେ' ମାସରୁ ଚୀନୀ ସେନା ଦଖଲରେ ରହିଥିବାରୁ ତାହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ନିରପେକ୍ଷ ଇଲାକାରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ସହମତି ଅନୁସାରେ ହ୍ରଦର ଉତ୍ତରଭାଗରେ ଥିବା ଫିଙ୍ଗର ପଏଣ୍ଟ୍ ୪ରୁ ଚୀନୀ ସେନା ଫିଙ୍ଗର ପଏଣ୍ଟ୍ ୫ ଯାଏ ପଛକୁ ହଟିଛି। ଏପରିକି ଭାରତୀୟ ସେନା ଫିଙ୍ଗର ପଏଣ୍ଟ୍ ୨ ଯାଏ ମଧ୍ୟ ପଛକୁ ହଟିଛି। ତେବେ ଚୀନା ସେନା ଆଉ ପଛକୁ ହଟିବାକୁ ହେଲେ ଭାରତୀୟ ପ୍ରତିପକ୍ଷକୁ ମଧ୍ୟ ଆହୁରି ପଛକୁ ଘୁଞ୍ଚିବା ଲାଗି ନୂଆ ସର୍ତ୍ତ ଲଗାଇଛି।