ଲାଲୁ ପରିବାରରେ ବିଦ୍ରୋହ, ଅସହଯୋଗ ପାଇଁ କର୍ମୀଙ୍କୁ ଆହ୍ବାନ ଦେଲେ ତେଜପ୍ରତାପ

ଆର୍‌ଜେଡି ଅଡ଼ୁଆ ବଢ଼ିଲା

ପାଟନା: ବିହାରରେ ଏବେ ଆରଜେଡି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛନ୍ତି ତେଜ ପ୍ରତାପ ଯାଦବ। ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଦଳର ପ୍ରମୁଖ ପ୍ରାର୍ଥୀମାନଙ୍କ ବିରୋଧରେ ସ୍ବାର୍ଥୀନ ପ୍ରାର୍ଥୀଙ୍କୁ ଛିଡ଼ା କରାଇବାକୁ ଘୋଷଣା କରି ତମ୍ବିତୋଫାନ ସୃଷ୍ଟି କରିଛନ୍ତି। ଆରଜେଡିକୁ ସହଯୋଗ ନ କରିବା ପାଇଁ ସେ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଏବଂ ଏହି ନିର୍ବାଚନରେ ଦଳକୁ ଉଚିତ ଶିକ୍ଷା ମିଳିଲେ ହିଁ ଦଳ ସୁଧୁରିବ ବୋଲି କହିଛନ୍ତି। ଜହାନାବାଦ ଏବଂ ଶିବହର ଆସନ ପାଇଁ ତେଜ ପ୍ରତାପ ସ୍ବାଧୀନ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ସହ ସାରଣ ଆସନରୁ ସେ ତାଙ୍କ ଶ୍ବଶୂରଙ୍କ ବିରୋଧରେ ଲଢ଼ିବାକୁ ଘୋଷଣା କରିଛନ୍ତି। ତେଜ ପ୍ରତାପ ନିଜ ଭାଇ ତେଜସ୍ବୀଙ୍କ କୌଣସି ପରାମର୍ଶକୁ ଏବେ ଗ୍ରହଣ କରୁନାହାନ୍ତି ଏବଂ ଦଳର ପ୍ରମୁଖ ନେତାଙ୍କ ବିରୋଧରେ ବିଷୋଦ୍‌ଗାର ଜାରି ରଖିଛନ୍ତି। ପରିବାରରେ ଏଭଳି ବିଦ୍ରୋହ ଯୋଗୁଁ ଦଳର ସମସ୍ୟା ମଧ୍ୟ ଜଟିଳ ହେବାରେ ଲାଗିଛି। ପୁଅକୁ ବୁଝାଇବା ପାଇଁ ପିତା ଲାଲୁ ଏବଂ ମା’ ରାବ୍‌ଡି ଦେବୀ ଲଗାତାର ପ୍ରୟାସ ଜାରି ରଖିଛନ୍ତି, କିନ୍ତୁ ଏହାର କୌଣସି ପ୍ରଭାବ ତେଜ ପ୍ରତାପଙ୍କ ଉପରେ ପଡ଼ୁନଥିବା ଦେଖିବାକୁ ମିଳିଛି।

ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ଛାଡ଼ପତ୍ର ମାମଲାରେ ପରିବାର ଲୋକଙ୍କ ଆଡ଼ୁ ବିରୋଧର ସମ୍ମୁଖୀନ ହେବାପରେ ତେଜ ପ୍ରତାପ ଏବେ ଉଗ୍ର ହୋଇଉଠିଛନ୍ତି। ସାନ ଭାଇ ତେଜସ୍ବୀ ଯାଦବ ଦଳର ଉତ୍ତରାଧିକାରୀ ଭାବେ ନିଜକୁ ଘୋଷଣା କରିବା ପରେ ଦୁଇ ଭାଇଙ୍କ ମଧ୍ୟରେ କନ୍ଦଳ ଚରମରେ ପହଞ୍ଚିଛି। କର୍ମୀମାନଙ୍କୁ ସହଯୋଗ ନ କରିବାକୁ ତେଜପ୍ରତାପ ଉସୁକାଉଥିବାରୁ ବରିଷ୍ଠ ନେତାମାନେ କ୍ଷୁବ୍ଧ ହୋଇଛନ୍ତି। କେତେକ ଆସନର ତେଜ ପ୍ରତାପ ନିଜ ପସନ୍ଦର ପ୍ରାର୍ଥୀ ଦେବାକୁ ଚାହୁଥିଲେ ମଧ୍ୟ ଦଳ ଏହାକୁ ଗ୍ରହଣ କରିନଥିବାରୁ ସେ ଏବେ ଦଳ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ସାରଣ ଆସନରୁ ତେଜ ପ୍ରତାପ ନିଜ ଶ୍ବଶୁରଙ୍କ ବିରୋଧରେ ପ୍ରାର୍ଥୀ ହେବାକୁ ଘୋଷଣା କରିବା ପରେ ତାଙ୍କୁ ବୁଝାସୁଝା କରିବା ପାଇଁ ଅନେକ ନେତା ଉଦ୍ୟମ କରିଥିଲେ। କିନ୍ତୁ ତେଜପ୍ରତାପ କାହା ସହିତ ଆଲୋଚନା କରିବେ ନାହିଁ ବୋଲି କହିବା ସହ ତାଙ୍କ ପରିବାର ହିଁ ତାଙ୍କର ଶତ୍ରୁ ପାଲଟିଯାଇଥିବା କହିଛନ୍ତି। ଦଳର ନିଷ୍ପତ୍ତି ବିରୋଧରେ ଯାଇ ସେ ଏବେ ସଭା ଆୟୋଜନ କରୁଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନେକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର