ମହାରାଷ୍ଟ୍ର ସରକାରରେ ବିବାଦ ବଢ଼ିଲା, ଏନ୍‌ସିପି ମନ୍ତ୍ରୀଙ୍କ ସହ ପାୱାରଙ୍କ ଆଲୋଚନା

ଏଲ୍‌ଗାର ପରିଷଦ ମାମଲାର ଏସ୍‌ଆଇଟି ତଦନ୍ତ ଘୋଷଣା‌ କଲା ଏନ୍‌ସିପି

ନୂଆଦିଲ୍ଲୀ: ଏଲଗାର ପରିଷଦ ମାମଲାର ତଦନ୍ତ ଭାର ଏନ୍‌ଆଇଏକୁ ହସ୍ତାନ୍ତର କରିବା ଏବଂ ରାଜ୍ୟରେ ଏନ୍‌ପିଆର କାର୍ଯ୍ୟକାରୀ କରିବା ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ର ସରକାରରେ ବିବାଦ ଦେଖାଦେଇଛି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କର ମେଣ୍ଟ ସହଯୋଗୀ ଶିବସେନା ସହ ପ୍ରବଳ ମତଭେଦ ହୋଇଛି। ମହାରାଷ୍ଟ୍ର ସରକାରରେ ଏନ୍‌ସିପିର ସମସ୍ତ ମନ୍ତ୍ରୀମାନଙ୍କୁ ଆଜି ଶରଦ ପାୱାର ଭେଟି ଆଲୋଚନା କରିଛନ୍ତି। ବୈଠକ ପରେ ମହାରାଷ୍ଟ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକ କହିଛନ୍ତି, ଏଲ୍‌ଗାର ପରିଷଦ ମାମଲାରେ ରାଜ୍ୟ ଦ୍ବାରା ମଧ୍ୟ ସମାନ୍ତରାଳ ତଦନ୍ତ ହେବ। ମାମଲାରେ ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ହେବ ବୋଲି ମଲିକ ଘୋଷଣା କରିଛନ୍ତି। ମଲିକ କହିଛନ୍ତି, ଏଲ୍‌ଗାର ପରିଷଦ ମାମଲା ଏନ୍‌ଆଇକୁ ହସ୍ତାନ୍ତର କରିବା‌ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଆଦୌ ଭୁଲ୍‌ ନୁହେଁ କିନ୍ତୁ ରାଜ୍ୟର ମଧ୍ୟ ଉକ୍ତ ମାମଲାରେ ତଦନ୍ତ କରିବାର କ୍ଷମତା ରହିଛି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କୁ ଉକ୍ତ ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି, ଏଲ୍‌ଗାର ପରିଷଦ ମାମଲାରେ ଏସ୍‌ଆଇଟି ଗଠନ ସଂକ୍ରାନ୍ତରେ ସେ ଆଇନଗତ ମତାମତ ନେ‌ବେ। ଉଲ୍ଲେଖଯୋଗ୍ୟ ଏଲଗାର ପରିଷଦ ମାମଲାକୁ ରାଜ୍ୟ ପୁଲିସ ହାତରୁ ଏନ୍‌ଆଇଏକୁ ହସ୍ତାନ୍ତର କରିବା ପ୍ରସଙ୍ଗରେ ଶରଦ ପାୱାର ଶିବସେନା ମୁଖ୍ୟ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉପରକୁ ପ୍ରବଳ ବର୍ଷିଥିଲେ। ପାୱାର କହିଥିଲେ ଆଇନ ଶୃଙ୍ଖଳା ସ୍ଥିତି ରାଜ୍ୟ ବ୍ୟାପାର।

ସମ୍ବନ୍ଧିତ ଖବର