ରୋଗୀଙ୍କ ଶୋଇବା ପାଇଁ ଜାଗା ନାହିଁ, ବେଡ଼ରେ ଗହମ ଶୁଖାଉଛନ୍ତି ମେଡିକାଲ କର୍ମଚାରୀ

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ଦେଖାଇଲେ ଶାସକ ଦଳର ବିଧାୟକ

ପାଟନା: ରୋଗୀଙ୍କୁ ଶୋଇବା ପାଇଁ ଜାଗା ନାହିଁ, ମେଡିକାଲ ବାରଣ୍ଡାରେ ରୋଗୀ ଶୋଇବାକୁ ବାଧ୍ୟ ହେଉଥିବାବେଳେ ଏବେ ବିହାରର ଏକ ଡାକ୍ତରଖାନାର ବିକଳ ଚିତ୍ର ସାମ୍ନାକୁ ଆସିଛି | କାରଣ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମେଡିକାଲ ବେଡ଼ରେ ଗହମ ଶୁଖାଉଛନ୍ତି ମେଡିକାଲ କର୍ମଚାରୀ | ତେବେ ଏହି କଥା ଆମେ କହୁନାହୁଁ ବରଂ ଶାସକ ଦଳର ଜଣେ ବିଧାୟକ, ସ୍ୱାସ୍ଥ୍ୟସେବାର ପୋଲ ଖୋଲିଛନ୍ତି | ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଲ୍ମୀକି ନଗରର ଜେଡିୟୁ ବିଧାୟକ, ଧିରେନ୍ଦ୍ର ପ୍ରତାପ ସିଂ ତାଙ୍କ ନିର୍ବାଚନମଣ୍ଡଳୀରେ ଥିବା ଏକ କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ଅଚାନକ ପରିଦର୍ଶନରେ ଯାଇଥିଲେ | ଆଉ ଅଚାନକ ପରିଦର୍ଶନ ସମୟରେ ପରିଚାଳନାଗତ ତ୍ରୁଟି ସାମ୍ନାକୁ ଆସିଥିଲା | ବିଧାୟକ ଜଣକ ଦେଖିଥିଲେ ଯେ ରୋଗୀମାନେ ମେଡିକାଲ ବାରଣ୍ଡାରେ ଶୋଇଥିବାବେଳେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ମେଡିକାଲ ବେଡ଼ରେ କର୍ମଚାରୀ ଗହମ ଶୁଖାଇଥିଲେ ।

କେବଳ ଏତିକି ନୁହେଁ ବିଧାୟକ ଜାଣିବାକୁ ପାଇଥିଲେ ଯେ ମେଡିକାଲରେ ଥିବା ଅପରେସନ୍ ଥିଏଟରକୁ ଷ୍ଟୋର ରୁମ୍ ଭାବରେ ବ୍ୟବହାର କରାଯାଉଛି ଏବଂ ଭଲ ଔଷଧକୁ ଡଷ୍ଟବିନରେ ଫୋପାଡି ଦିଆଯାଉଛି। ସେହିପରି ପୁରୁଷ ଓ ମହିଳା ୱାର୍ଡ ଅପରିଷ୍କାର ଅପରିଛନ୍ନ ହୋଇଥିବାବେଳେ ସଫା ହୋଇନଥିଲା | ଏନେଇ ବିଧାୟକ କହିଛନ୍ତି ଯେ ଯେତେବେଳେ ଡାକ୍ତରଖାନାର ରେଜିଷ୍ଟର ଯାଞ୍ଚ କରିଥିଲୁ, ସେତେବେଳେ ଅନେକ ଡାକ୍ତର ଏବଂ ନର୍ସ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା | ଏନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି ବିଧାୟକ କହିଛନ୍ତି |

ସମ୍ବନ୍ଧିତ ଖବର