ନୂଆଦିଲ୍ଲୀ: ବିଲ୍ ଗେଟ୍ସଙ୍କ କମ୍ପାନି ମାଇକ୍ରୋସଫ୍ଟର ଏକ ସେବାରେ ବିଭ୍ରାଟ ଆଜି ସାରା ଦୁନିଆରେ ହାହାକାର ଭଳି ପରିସ୍ଥିତି ସୃଷ୍ଟି କରିଛି। ବିଶେଷ କରି ବିମାନ ଚଳାଚଳ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବିମାନବନ୍ଦରରେ ଚେକ ଇନ୍ ସିଷ୍ଟମ୍ ଓ ସୂଚନା ପ୍ରଦର୍ଶନ କରୁଥିବା ଡିସ୍ପ୍ଲେ ବୋର୍ଡ ବନ୍ଦ ହୋଇଯାଇଥିଲା। ଚେକ୍ ଇନ୍ ଓ ଟିକଟ ବୁକିଂ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ବିଶ୍ବବ୍ୟାପୀ ୧୪୦୦ରୁ ଅଧିକ ବିମାନର ଉଡ଼ାଣ ବାତିଲ ହୋଇଥିବା ବେଳେ ତିନି ହଜାର ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସ୍ଥିତିରେ
ସୁଧାର ଆସିଥିବା ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। କେବଳ ଭାରତରେ ଇଣ୍ଡିଗୋର ପାଖାପାଖି ୨୦୦ ବିମାନର ଉଡ଼ାଣ ପ୍ରଭାବିତ ହୋଇଥିବା ଖବର ମିଳିଛି। କିଛି ସମୟ ପାଇଁ ଭାରତର ଏୟାରଲାଇନ୍ସଗୁଡ଼ିକ ହାତରେ ବୋର୍ଡିଂ ପାସ୍ ଲେଖି ଯାତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ଏହାକୁ ଇତିହାସର ସବୁଠୁ ବଡ଼ ତଥା ସାଂଘାତିକ ଆଇଟି ବିଭ୍ରାଟ ଆଖ୍ୟା ଦିଆଯାଇଛି। ଏଇଥିପାଇଁ ଯେ କେବଳ ବିମାନ ନୁହେଁ, ଏଟିଏମ୍, ବ୍ୟାଙ୍କ ସେବା, ପେମେଣ୍ଟ୍ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ବ୍ରିଟେନ୍ରେ ଟିଭି ପ୍ରସାରଣ ବନ୍ଦ ହୋଇଯାଇଥିଲା। ସମସ୍ୟା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଅବଗତ ହୋଇଛନ୍ତି। ଟେସ୍ଲାରେ ମଧ୍ୟ ଉତ୍ପାଦନ ବ୍ୟାହତ ହୋଇଛି।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆଇଟି ମନ୍ତ୍ରଣାଳୟ ମାଇକ୍ରୋସଫ୍ଟ ସହ ଯୋଗାଯୋଗରେ ରହିଛି। ପ୍ରଭାବିତ ସଂସ୍ଥାଗୁଡ଼ିକର ସେବାର ସୁଧାର ଆଣିବା କାର୍ଯ୍ୟ ଜାରି ରହିଛି। ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ସହ ସିଇଆର୍ଟି-ଇନ୍ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛି।
ଏ ସମ୍ପର୍କରେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି ଯେ ଆମେ ଏହି ଘଟଣା ସମ୍ପର୍କରେ ଅବଗତ ଅଛୁ ଏହାର ସମାଧାନ କରିବା ଲାଗି କ୍ରାଉଡ୍ଷ୍ଟ୍ରାଇକ୍ ସହ ମିଶି କାମ କରୁଛୁ। ମାଇକ୍ରୋସଫ୍ଟର କ୍ଲାଉଡ୍ ସେବା ‘ଆଜ୍ୟୁର୍’କୁ ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ସମସ୍ୟା ସାମ୍ନା କରିଛନ୍ତି। ସେଥିରେ ‘କ୍ରାଉଡ୍ଷ୍ଟ୍ରାଇକ୍’ର ଫାଲ୍କନ୍ ସେନ୍ସର ଆଣ୍ଟି ଭାଇରସ୍କୁ ଅପ୍ଡେଟ୍ କରାଯିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଛି। ତାହାର ସମାଧାନ ଲାଗି ମାଇକ୍ରୋସଫ୍ଟ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଦେଶର ଆଇଟି ମନ୍ତ୍ରଣାଳୟ ମଧ୍ୟ ସ୍ଥିତି ଉପରେ ନଜର ରଖିଛି। ଭାରତରେ ୧୦ରୁ ଅଧିକ ବ୍ୟାଙ୍କ ସେବାରେ ବିଭ୍ରାଟ ଦେଖାଦେଇଛି। ବିଭ୍ରାଟର କାରଣ ଥିବା ଆଣ୍ଟିଭାଇରସ୍ କମ୍ପାନି କ୍ରାଉଡ୍ଷ୍ଟ୍ରାଇକର୍ ସିଇଓ ଜର୍ଜ କୁର୍ଜ କ୍ଷମା ପ୍ରାର୍ଥନା କରିଛନ୍ତି। ଆମେ ଗଭୀର ଭାବେ ଦୁଃଖିତ। ସମସ୍ୟାର ଶୀଘ୍ର ସମାଧାନ ହୋଇଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଶୁକ୍ରବାର ମାଇକ୍ରୋସଫ୍ଟର କମ୍ପ୍ୟୁଟର ଓ ଲାପ୍ଟପ୍ ବ୍ୟବହାର କରୁଥିବା ଲୋକମାନଙ୍କ ସ୍କ୍ରିନ୍ରେ ହଠାତ୍ ‘ନୀଳ ସ୍କ୍ରିନ୍’ ଦେଖାଯାଇଥିଲା। ଏଥି ସହିତ ସେମାନଙ୍କ କମ୍ପ୍ୟୁଟର ହଠାତ୍ ରିଷ୍ଟାର୍ଟ କିମ୍ବା ସଟ୍ଡାଉନ୍ ହୋଇଯାଇଥିଲା।
ବିମାନ ଚଳାଚଳ ଠପ୍, ଯାତ୍ରୀଙ୍କ ଲମ୍ବା ଧାଡ଼ି
ବ୍ୟାଙ୍କ ସେବା, ପେମେଣ୍ଟ୍, ଷ୍ଟକ୍ ଟ୍ରେଡିଂ ଗୁରୁତର ପ୍ରଭାବିତ
ଭୁବନେଶ୍ବର: ମାଇକ୍ରୋସଫ୍ଟ ବିଭ୍ରାଟ ପ୍ରଭାବରେ ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଇଣ୍ଡିଗୋର ୬ଟି ବିମାନର ଉଡ଼ାଣ ବାତିଲ କରାଯାଇଥିବା ବେଳେ ୩୦ଟି ବିମାନର ଉଡ଼ାଣ ବିଳମ୍ବିତ ହୋଇଥିବା ଜଣାପଡ଼ିଛି। ଆଜି ଇଣ୍ଡିଗୋର ଭୁବନେଶ୍ବର-ମୁମ୍ବାଇ, ଭୁବନେଶ୍ବର-ଚେନ୍ନାଇ, ଭୁବନେଶ୍ବର-ଅହମ୍ମଦାବାଦ, ଭୁବନେଶ୍ବର-କୋଲକାତା, ଭୁବନେଶ୍ବର-ଦିଲ୍ଲୀ ଓ ଭୁବନେଶ୍ବର-ହାଇଦ୍ରାବାଦ ବିମାନର ଉଡ଼ାଣ ବାତିଲ ହୋଇଛି। ଏପରିକି ଏହି ବିଭ୍ରାଟ ପାଇଁ ବିମାନବନ୍ଦରରେ ଉଭୟ ଉଡ଼ାଣ ଓ ଅବତରଣ ବିଳମ୍ବିତ ହୋଇଥିବା ଜଣାପଡ଼ିଛି।