ନୂଆଦିଲ୍ଲୀ: ପାକିସ୍ତାନରେ ଆଗାମୀ ୨୫ ତାରିଖ ଦିନ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏଥିରେ ଲସ୍କର ଏ ତୋଏବା ଆତଙ୍କବାଦୀ ସଂଗଠନ ପକ୍ଷରୁ ବହୁ ସଂଖ୍ୟାରେ ପ୍ରାର୍ଥୀ ଦିଆଯାଇଛି। ଲସ୍କରର ରାଜନୈତିକ ଦଳକୁ ନିର୍ବାଚନରେ ଭାଗ ନେବାକୁ ସୁଯୋଗ ଦିଆଯାଇନଥିଲେ ମଧ୍ୟ ଏହାର ସଦସ୍ୟମାନେ ସ୍ୱାଧୀନ ଭାବେ ଏବଂ ଅନ୍ୟ ଦଳରୁ ପ୍ରାର୍ଥୀ ହେବାକୁ ସମର୍ଥ ହୋଇଛନ୍ତି। ଲସ୍କର ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ଅନ୍ୟ ରାଜନୈତିକ ଦଳଗୁଡ଼ିକ ପାଇଁ ସଙ୍କଟ ସୃଷ୍ଟି କରିବ ଏବଂ ସେମାନେ ଆତଙ୍କବାଦୀ ହାଫିଜ୍ ସୟିଦ ସହିତ ହାତ ମିଳାଇ କାର୍ଯ୍ୟ କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଆଜି ଆମେରିକା ଏ ନେଇ ଉଦ୍୍ବେଗ ପ୍ରକାଶ କରିବା ସହ ଏହାର ପରିଣାମ ପାକିସ୍ତାନ ଭୋଗିବ ବୋଲି ଚେତାଇ ଦେଇଛି। ଅନ୍ୟପକ୍ଷରେ ୟୁରୋପୀୟ ସଂଘ ମଧ୍ୟ ଲସ୍କର ପ୍ରାର୍ଥୀଙ୍କ ପ୍ରଭାବକୁ ନେଇ ଉଦ୍୍ବେଗ ପ୍ରକାଶ କରି ସେମାନେ ଗଣତନ୍ତ୍ର, ମାନବତା ଏବଂ ଆଞ୍ଚଳିକ ଶାନ୍ତି ପାଇଁ ବଡ଼ ବିପଦ ହେବେ ବୋଲି କହିଛି।
ପାକିସ୍ତାନ ନିଜ ରାଷ୍ଟ୍ରର ନିର୍ବାଚନକୁ ଆତଙ୍କବାଦୀଙ୍କ ହାତରେ ଟେକି ନଦେବାକୁ ଆଜି ୟୁରୋପୀୟ ସଂଘ ତାଗିଦ କରିବା ପରେ ପାକ୍ ନିର୍ବାଚନ କମିସନ ଏବଂ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ପାକିସ୍ତାନ ନିର୍ବାଚନ କମିସନ ଲସ୍କରର ରାଜନୈତିକ ଦଳ ଏମ୍ଏମ୍୍ଏଲକୁ ସ୍ୱୀକୃତି ଦେଇନଥିଲେ ମଧ୍ୟ ଏହାର ପ୍ରାର୍ଥୀମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ସରକାରୀ ବ୍ୟବସ୍ଥାକୁ ଏବେ ଚ୍ୟାଲେଂଜ କରୁଛନ୍ତି। ସେମାନଙ୍କ ଉପସ୍ଥିତି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଣ୍ଡୁର କରିବାରେ ଲାଗିଥିଲେ ମଧ୍ୟ ଭୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ନିର୍ବାଚନରେ ୧୨ଟି ପ୍ରମୁଖ ଆତଙ୍କବାଦୀ ସଂଗଠନ ଏବେ ସକ୍ରିୟ ଅଛନ୍ତି। ଅନେକ ନିରୀହ ପ୍ରାର୍ଥୀ ଘରୁ ବାହାରିବାକୁ ଭୟ କରୁଛନ୍ତି। ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ଆଜି ସୁଦ୍ଧା ୧୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସହିଦ ବହୁ ସଂଖ୍ୟାରେ ପ୍ରାର୍ଥୀ ଛିଡ଼ା କରାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/2018_7largeimg21_Saturday_2018_145418654.jpg)