ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ଟାର୍ଗେଟ୍‌ରେ ଚନ୍ନି ସରକାର

କଂଗ୍ରେସର ଶୀର୍ଷ ନେତା କ୍ଷମା ମାଗନ୍ତୁ: ଶାହ, ରୢାଲିରେ ଲୋକ ନହେବାରୁ ପ୍ରଧାନମନ୍ତ୍ରୀ ପଳାଇଲେ: ସୂର୍ଯ୍ୟେୱାଲା

ନୂଆଦିଲ୍ଲୀ: ପଂଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ହୋଇଥବା ବଡ଼ ଧରଣର ତ୍ରୁଟିକୁ ନେଇ ରାଜନୀତି ସରଗରମ ହୋଇଛି। ପଂଜାବରେ ବିଭିନ୍ନ ବିକାଶ ପ୍ରକଳ୍ପର ଉଦ୍‌ଘାଟନ ସହ ଏକ ରୢାଲିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଯାଉଥିବା ବେଳେ ଫିରୋଜପୁରରେ ଆନ୍ଦୋଳନକାରୀମାନେ ରାସ୍ତା ଅବରୋଧ କରିବାରୁ କାର୍‌କେଡ୍‌ ଏକ ଫ୍ଲାଏଓଭର ଉପରେ ୨୦ ମିନିଟ୍‌ ଫସି ରହିଥିଲା। ଫଳରେ ମୋଦୀ ରୢାଲି ନକରି ଫେରିବାକୁ ବାଧ୍ୟ ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏଭଳି ତ୍ରୁଟିକୁ ନେଇ ରାଜ୍ୟର କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

କଂଗ୍ରେସ ଲୋକଙ୍କ ଦ୍ବାରା ବାରମ୍ବାର ପ୍ରତ୍ୟାଖ୍ୟାତ ହେବାପରେ ଏବେ ଉନ୍ମାଦର ରାସ୍ତା ଧରିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ତାହାର ପରିଣାମ ବୋଲି ଶାହ କହିଛନ୍ତି। ଏଥି ପାଇଁ ରାଜ୍ୟ ସରକାର ଉତ୍ତରଦାୟିତ୍ବ ସ୍ଥିର କରିବା ଆବଶ୍ୟକ ଏବଂ କଂଗ୍ରେସର ଶୀର୍ଷ ନେତାମାନେ ଦଳର ଏଭଳି କାର୍ଯ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଶାହ କହିଛନ୍ତି। ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, କଂଗ୍ରେସ ନେତୃତ୍ବାଧୀନ ପଂଜାବ ସରକାରଙ୍କ ଏଭଳି ମାନସିକତାକୁ କଦାପି ଗ୍ରହଣୀୟ ନୁହେଁ। ନଡ୍ଡା କହିଛନ୍ତି, ପଂଜାବ ସରକାର ରାଜ୍ୟରେ ମୋଦୀଙ୍କ କାର୍ଯ୍ୟକ୍ରମ ବନ୍ଦ କରିବାପାଇଁ ସବୁ ପ୍ରକାର ଷଡ଼ଯନ୍ତ୍ର ଅବଲମ୍ବନ କରିଛି। ପ୍ରଧାନମନ୍ତ୍ରୀ ଯିବା ରାସ୍ତାରେ ଆନ୍ଦୋଳନକାରୀଙ୍କୁ ବସିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ଅନ୍ୟପକ୍ଷେ ମୁଖ୍ୟ ସଚିବ ଏବଂ ଡିଜିପି ଏହି ସମାନ ରାସ୍ତାରେ ମୋଦୀଙ୍କ ମୋଟରକେଡ୍‌କୁ ଯିବାପାଇଁ ଅନୁମତି ଦେଇଥିଲେ। ଅନ୍ୟ ଏକ ଟ୍ବିଟ୍‌ କରି ନଡ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଠିକ୍‌ ସମୟରେ ଫୋନ୍‌ ଉଠାଇଲେନି କି ସମସ୍ୟାର ସମାଧାନ କରିବାକୁ ଚାହିଲେନି। ଏଭଳି ଆଚରଣ ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।

କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ ସିଂହ ସୁର୍ଯ୍ୟେୱାଲା କହିଛନ୍ତି, ମୋଦୀଙ୍କ ଭାଷଣ ଶୁଣିବାପାଇଁ ଭିଡ଼ ନହେବାରୁ ବିଜେପି ମୋଦୀଙ୍କ ରୢାଲି ବାତିଲ କରିଦେଲା। ସୁରକ୍ଷା ତ୍ରୁଟି ପାଇଁ ମୋଦୀ ଫେରିନାହାନ୍ତି ବୋଲି ସୂର୍ଯେୱାଲା କହିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ପଂଜାବ ସରକାରଙ୍କ କାର୍ଯ୍ୟ ଅତ୍ୟନ୍ତ ଲଜ୍ଜାଜନକ କହିବା ସହ ଉକ୍ତ ଘଟଣା‌ରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ସୁନିଲ ଜାଖର ମଧ୍ୟ ଆଜି ନିଜ ଦଳର ସରକାରକୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ରାଜ୍ୟର ଦାୟିତ୍ବ ଥିଲା ଏବଂ ଏହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଅଂଶ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର