ରାଜସ୍ଥାନ ସରକାର ଟଳମଳ, ସଚିନ ପାଇଲଟଙ୍କ ବିଦ୍ରୋହ

୩୦ ବିଧାୟକଙ୍କ ସମର୍ଥନ ଥିବା ଦାବି, ସରକାରକୁ ସଂଖ୍ୟାଲଘୁ କହିଲେ

ନୂଆଦିଲ୍ଲୀ: ରାଜସ୍ଥାନରେ ଶାସକ କଂଗ୍ରେସ ସରକାରରେ ରାଜନୈତିକ ସଙ୍କଟ ଅତି ଜଟିଳ ରୂପ ନେଇଛି। ବିଧାୟକଙ୍କୁ କିଣାବିକା ଅଭିଯୋଗ ମାମଲାରେ ଏସ୍‌ଓଜି ପକ୍ଷରୁ ଜେରାକୁ ନେଇ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ତାଙ୍କ ସମର୍ଥକମାନେ ବିଦ୍ରୋହ ଘୋଷଣା କରିଛନ୍ତି। ପାଇଲଟ୍‌ ତାଙ୍କ ସହିତ ଦଳର ୩୦ ବିଧାୟକ ଓ କେତେକ ସ୍ବାଧୀନ ବିଧାୟକଙ୍କ ସମର୍ଥନ ଥିବା କହିଛନ୍ତି। ଏହା ସହିତ ଅଶୋକ ଗେହଲଟଙ୍କ ସରକାରକୁ ପାଇଲଟ୍‌ ସଂଖ୍ୟାଲଘୁ ବୋଲି କହିବା ସହ ଆସନ୍ତାକାଲି ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ରବିବାର ସକାଳେ ନିଜର ପ୍ରାୟ ୧୫ ଜଣ ସମର୍ଥକ ବିଧାୟକଙ୍କୁ ସାଙ୍ଗରେ ଧରି ପାଇଲଟ୍‌ ଦିଲ୍ଲୀରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ତୁରନ୍ତ ରାଜସ୍ଥାନ ଫେରିଯିବା ପାଇଁ କଂଗ୍ରେସ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ପାଇଲଟ୍‌ ଏହାକୁ ଗ୍ରହଣ କରିନାହାନ୍ତି। କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ପାଇଲଟ୍‌ ଆଜି ୪୦ ମିନିଟ୍‌ ଆଲୋଚନା କରିଛନ୍ତି। ଦିନକ ତଳେ ପାଇଲଟ୍‌ ସୋନିଆଙ୍କ ଘନିଷ୍ଠ ସହଯୋଗୀ ଅହମଦ ପଟେଲଙ୍କୁ ସାକ୍ଷାତ କରିଥିଲେ। କଂଗ୍ରେସ ନେତୃତ୍ବାଧୀନ ରାଜସ୍ଥାନ ସରକାରଙ୍କୁ ହଟାଇବା ପାଇଁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ଉଠୁଥିବା ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପାଇଲଟ୍‌ଙ୍କ ଏଭଳି ପଦକ୍ଷେପ ଦଳରେ ଭୂକମ୍ପ ସୃଷ୍ଟି କରିଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ତାଙ୍କୁ ଅଣଦେଖା ଓ ଅପମାନିତ କରୁଛନ୍ତି ବୋଲି ସଚିନ୍‌ ଶନିବାର ରାତିରେ ବରିଷ୍ଠ ନେତା ପଟେଲଙ୍କ ସହ ସାକ୍ଷାତ ବେଳେ କହିଥିଲେ। ଏପରିକି ତାଙ୍କ ପ୍ରତି ଅନ୍ୟାୟକୁ କେବେ ପ୍ରଶ୍ରୟ ଦିଆଯିବନାହିଁ ବୋଲି ମଧ୍ୟ ତାଙ୍କୁ ପଟେଲ ଭରସା ବାଣୀ ଶୁଣାଇଛନ୍ତି। ରାଜସ୍ଥାନରେ ମଧ୍ୟପ୍ରଦେଶ ଭଳି ଦଳରେ ବିଭାଜନ ଆଶଙ୍କା କରି ଦଳୀୟ ସୁପ୍ରିମୋ ବିବ୍ରତ ହୋଇପଡ଼ିଛନ୍ତି। ସେଠାରେ ଯେପରି ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକ ବିଧାୟକମାନଙ୍କ ସହ ବିଜେପିକୁ ଲମ୍ଫ ଦେଲେ ତାହାର ପୁନରାବୃତ୍ତି ରାଜସ୍ଥାନରେ ନ ଘଟାଇବା ଲାଗି ନେତୃବୃନ୍ଦ ତତ୍ପର ହୋଇପଡ଼ିଛନ୍ତି। ଆଜି ସଚିନ୍‌ଙ୍କ କ୍ୟାମ୍ପ୍‌ର ୩ ଜଣ ବିଧାୟକ ତାଙ୍କ ଆଭିମୁଖ୍ୟ ବଦଳାଇ ରାଜସ୍ଥାନ ଫେରିଛନ୍ତି ଏବଂ ଦଳର ସବୁ ନିର୍ଦ୍ଦେଶ ମାନିବେ ବୋଲି କହିଛନ୍ତି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା‌ ବିଧାୟକ ଦଳ ବୈଠକରେ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ସାଧାରଣ ସଂପାଦକ ଅବିନାଶ ପାଣ୍ଡେ କହିଛନ୍ତି ଯେ ରାଜସ୍ଥାନ ସରକାର ପ୍ରତି କୌଣସି ବିପଦ ନାହିଁ ଏବଂ ସବୁ ବିଧାୟକ ଦଳ ସହିତ ଦୃଢ଼ ଭାବେ ଅଛନ୍ତି। ଗେହଲଟ କହିଛନ୍ତି ତାଙ୍କ ସରକାରର ସଫଳତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଅସହିଷ୍ଣୁ ହୋଇଛନ୍ତି ଏବଂ ରାଜ୍ୟରେ କଂଗ୍ରେସ ବିଧାୟକମାନଙ୍କୁ ପ୍ରଭୂତ ଅର୍ଥରାଶି ଲୋଭ ଦେଖାଇ ସରକାରକୁ ଭାଙ୍ଗିବା ଲାଗି ବିଜେପି ମସୁଧା ଚଳାଇଛି। ତେବେ ଏଭଳି ଅଭିଯୋଗକୁ ରାଜ୍ୟ ବିଜେପି ସଭାପତି ସତୀଶ ପୁନିଆ ଖଣ୍ଡନ କରିବା ସହ କଂଗ୍ରେସରେ ଦେଖାଦେଇଥିବା ଅନ୍ତର୍ବିବାଦକୁ ଘୋଡ଼େଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଅଯଥାରେ ଦୋଷକୁ ଅନ୍ୟ ଉପରେ ଲଦୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର