ତୁଟୁନି ସୁପ୍ରିମ୍‌କୋର୍ଟ ବିବାଦ : ବିବାଦର ସମାଧାନ ପାଇଁ ଅନ୍ୟ ବିଚାରପତିଙ୍କ ଉଦ୍ୟମ

ବିଦ୍ରୋହୀମାନଙ୍କୁ ପୁଣି ଭେଟିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଚାରି ଜଣ ବରିଷ୍ଠ ବିଚାରପତିଙ୍କ ବିଦ୍ରୋହକୁ କେନ୍ଦ୍ର କରି ସର୍ବୋଚ୍ଚ ଅଦାଲତରେ ସୃଷ୍ଟି ହୋଇଥିବା ବିବାଦ ଆଜି ମଧ୍ୟ ଜାରି ରହିଛି। ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏହି ଅସନ୍ତୁଷ୍ଟ ବିଚାରପତିମାନଙ୍କୁ ଭେଟି ଆଲୋଚନା କରିବା ପରେ ବିବାଦର ଅବସାନ ଘଟିଲା ବୋଲି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ ସୂଚନା ଦେବାର କିଛି ସମୟ ପରେ ପୁଣି ନୂଆ ବିବାଦ ମୁଣ୍ଡ ଟେକିଛି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର କେତେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପାଇଁ ଗତକାଲି ଗଠନ କରିଥିବା ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ଏହି ବିଦ୍ରୋହୀ ବିଚାରପତିମାନଙ୍କୁ ସ୍ଥାନ ମିଳିନାହିଁ। ଫଳରେ ବିବାଦ ଥମିବା ବଦଳରେ ପୁଣି ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ଆଜି ପୁଣି ଏହି ବିଚାରପତିମାନଙ୍କୁ ଭେଟିଛନ୍ତି। ସେମାନଙ୍କ ସହିତ ୧୫ ମିନିଟ କାଳ ଆଲୋଚନା କରି ଶାନ୍ତିପୂର୍ଣ୍ଣ ସମାଧାନ ଚାହିଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ଏକ ସ୍ଥାୟୀ ସମାଧାନ ବାହାରିବ ବୋଲି ଆଟର୍ଣ୍ଣି ଜେନେରାଲ ପୁଣି ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ରବିବାର ବାର କାଉନସିଲର ଏକ ସାତଜଣିଆ ପ୍ରତିନିଧିମଣ୍ଡଳ ଏବଂ ସୁପ୍ରିମ୍‌କୋର୍ଟ ଓକିଲ ସଂଘ ସଭାପତିଙ୍କୁ ଭେଟି ଆଲୋଚନା କରିିଥିଲେ। ଏହାପରେ ଚାରି ଜଣ ଯାକ ବରିଷ୍ଠ ବିଚାରପତିଙ୍କ ସହିତ ପ୍ରଧାନ ବିଚାରପତି ଆଲୋଚନା କରିବା ପରେ ସେମାନେକାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିରେ ଉତ୍ସାହିତ ହୋଇ ସବୁ ବିବାଦର ଅବସାନ ଘଟିଛି ବୋଲି ଖୋଦ୍‌ ଆଟର୍ଣ୍ଣି ଜେନେରାଲ ଓ ବାର କାଉନ୍‌ସିଲ ସଭାପତି ଗଣମାଧ୍ୟମକୁ କହିଥିଲେ। ତେବେ ସୋମବାର ପ୍ରଧାନ ବିଚାରପତିଙ୍କ ଆଉ ଏକ ନିଷ୍ପତ୍ତି ଯୋଗୁଁ ବିବାଦର ଧୂଆଁ ପୁଣିଥରେ ବାହାରିଛି।

ଉଲ୍ଲେଖଯୋଗ୍ୟ, ଆଧାର ସମ୍ପର୍କିତ ଏବଂ ଅନ୍ୟ କିଛି ଜନସ୍ୱାର୍ଥ ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଶ୍ରୀ ମିଶ୍ର ସୋମବାର ଏକ ନୂତନ ସମ୍ବିଧାନ ପୀଠ ଗଠନ କରିଛନ୍ତି। ତେବେ ଏହି ପାଞ୍ଚ ଜଣିଆ ଖଣ୍ଡପୀଠରେ ବିଦ୍ରୋହୀ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଜେ.ଚେଲମେଶ୍ୱର, ଜଷ୍ଟିସ୍‌ ରଂଜନ ଗୋଗୋଇ, ମଦନ ବି ଲୋକୁର ଓ କୋରିଆନ୍‌ ଜୋସେଫଙ୍କୁ ସ୍ଥାନ ମିଳିନାହିଁ। ଅପରପକ୍ଷେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ୫ ଜଣିଆ ପୀଠରେ ଜଷ୍ଟିସ୍‌ ଏ.କେ.ସିକ୍ରି, ଏ.ଏମ୍‌.ଖାନ୍‌ଓ୍ଵିଲକର, ଡି.ଓ୍ଵାଇ.ଚନ୍ଦ୍ରଚୂଡ଼ ଓ ଅଶୋକ ଭୂଷଣ ରହିଛନ୍ତି। ବୁଧବାରଠାରୁ ଏହି ଖଣ୍ଡପୀଠ ଅନେକ ଗୁରୁତ୍ୱପୂର୍ଣ୍ଣ ମାଲାର ଶୁଣାଣି ଆରମ୍ଭ କରିବେ। ସେଗୁଡ଼ିକ ମଧ୍ୟରେ ଆଧାର, ସମଲିଙ୍ଗୀ, କେରଳ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଆଦି ବହୁ ବିବାଦୀୟ ମାମଲା ରହିଛି। ଏପରିକି ଏହି ୫ ଜଣିଆ ଖଣ୍ଡପୀଠ ମଧ୍ୟ ଗତ ଅକ୍ଟୋବର ୧୦ ତାରିଖରୁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ଜାରି ରଖିଛନ୍ତି।ସୋମବାରର ଏହି ଘଟଣାକୁ ନେଇ ସୁପ୍ରିମକୋର୍ଟ ପରିସରରେ ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଥିବା ବେଳେ ବିବାଦର ସମାଧାନ ପାଇଁ ଜଷ୍ଟିସ୍‌ ମିଶ୍ର ପୁଣି ଥରେ ଆଜି ସକାଳେ ଏହି ଚାରି ଜଣ ବିଚାରପତିଙ୍କୁ ଭେଟିଛନ୍ତି। ଜଷ୍ଟିସ୍‌ ମିଶ୍ରଙ୍କ ଅନୁରୋଧ କ୍ରମେ ସେମାନେ ସକାଳେ ପ୍ରଧାନ ବିଚାରପତିଙ୍କ ପ୍ରକୋଷ୍ଠରେ ସାକ୍ଷାତ କରିଥିଲେ। ଦୀର୍ଘ ୧୫ ମିନିଟ କାଳର ଏହି ସାକ୍ଷାତରେ ଜଷ୍ଟିସ୍‌ ମିଶ୍ର ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଲୋଚନା ବେଳେ ଜଷ୍ଟିସ ସିକ୍ରି ଏବଂ ଆଉ ଦୁଇ ଜଣ ବିଚାରପତି ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ବିବାଦର ସମାଧାନ ପାଇଁ ଜଷ୍ଟିସ ସିକ୍ରି ଏବଂ ଅନ୍ୟ ବିଚାରପତିମାନେ ମଧ୍ୟ ଉଦ୍ୟମ ଚଳାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଅସନ୍ତୁଷ୍ଟ ବିଚାରପତିମାନଙ୍କ ଅଭିଯୋଗର ସମାଧାନ ପାଇଁ ସୁପ୍ରିମ କୋର୍ଟର କେତେକ ନିୟମରେ ସଂଶୋଧନ କରାଯାଇପାରେ। ଆସନ୍ତାକାଲି ପୁଣି ସେମାନେ ଏସଂପର୍କରେ ପ୍ରଧାନ ବିଚାରପତିଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

 

ସମ୍ବନ୍ଧିତ ଖବର