ଫେସବୁକ୍‌ ଇଣ୍ଡିଆ କର୍ମଚାରୀଙ୍କ ଆଚରଣକୁ ନେଇ ବିବାଦ; ସିଇଓ ଜୁକରବର୍ଗଙ୍କୁ ପତ୍ର ଲେଖିଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

ନୂଆଦିଲ୍ଲୀ: ରାଜନୈତିକ ପକ୍ଷପାତିତା କରୁଥିବା ଅଭିଯୋଗରେ ଏବେ ଛନ୍ଦି ହୋଇପଡ଼ିଛି ସାମାଜିକ ଗଣମାଧ୍ୟମ ଫେସ୍‌ବୁକ। ଏହି ପରିପ୍ରେକ୍ଷୀରେ ଆଜି ବେଶ କଟୁ ଓ କଡ଼ା ଶବ୍ଦ ପ୍ରୟୋଗ କରି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା (ଆଇଟି) ମନ୍ତ୍ରୀ ରବିଶଙ୍କର ପ୍ରସାଦ ଫେସ୍‌ବୁକୁ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ପତ୍ର ଲେଖିଛନ୍ତି।

ମନ୍ତ୍ରୀ ରବିଶଙ୍କର ପ୍ରସାଦ ଜୁକରବର୍ଗଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତରେ ନିଯୁକ୍ତ ଫେସବୁକର କାର୍ଯ୍ୟନିର୍ବାହୀ ପରି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ବ୍ୟକ୍ତି ଶାସକ ବିଜେପି ସଦସ୍ୟଙ୍କ ପ୍ରତି ପକ୍ଷପାତିତା କରିବା ସହ ଆକ୍ରୋଶମୂଳକ ଭାବେ କାର୍ଯ୍ୟ କରିବା ନିନ୍ଦନୀୟ ବିଷୟ। ସୋସିଆଲ ମିଡିଆ ଫେସ୍‌ବୁକର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅପଶବ୍ଦ ବ୍ୟବହାର କରିଥିବାର ପ୍ରମାଣ ଓ ରେକର୍ଡ ମହଜୁଦ୍‌ ଥିବା ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ଶ୍ରୀ ପ୍ରସାଦ।

ଫେସ୍‌ବୁକ୍‌ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ମନ୍ତ୍ରୀ ଶ୍ରୀ ପ୍ରସାଦ ତାଙ୍କ ପତ୍ରରେ ଲେଖିଛନ୍ତି ଯେ ନିକଟ ଅତୀତରେ ଏକାଧିକ ଘଟଣା ଘଟିଛି ଯେଉଁଠାରେ ଫେସବୁକ ଅରାଜକତାପୂର୍ଣ୍ଣ କାର୍ଯ୍ୟ ଓ ଅଭିସନ୍ଧିମୂଳକ ରାଜନୀତି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି। ଯାହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସାମାଜିକ ଶୃଙ୍ଖଳାକୁ ନଷ୍ଟ କରିବା ଏବଂ ହିଂସା ପାଇଁ ଲୋକଙ୍କୁ ଏକତ୍ର କରିବା। କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ସେମାନଙ୍କର ମନ୍ଦ ଉଦ୍ଦେଶ୍ୟ ସାଧନ ପାଇଁ ଫେସ୍‌ବୁକକୁ ବ୍ୟବହାର କରୁଥିଲେ ମଧ୍ୟ ସଂସ୍ଥା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ମନ୍ତ୍ରୀ ଶ୍ରୀ ପ୍ରସାଦ।

ଆଇଟି ମନ୍ତ୍ରୀ ଜୁକରବର୍ଗଙ୍କୁ ଲେଖିଛନ୍ତି ଯେ ତାଙ୍କୁ କୁହାଯାଇଛି ଯେ ୨୦୧୯ ନିର୍ବାଚନ ପୂର୍ବରୁ, ଫେସବୁକ ଇଣ୍ଡିଆ ମ୍ୟାନେଜମେଣ୍ଟ ଦ୍ୱାରା କେବଳ ପୃଷ୍ଠାଗୁଡ଼ିକୁ ଡିଲିଟ କରିବା କିମ୍ବା ସେମାନଙ୍କ ସଂଖ୍ୟାକୁ ହ୍ରାସ କରିବା ପାଇଁ ଏକ ପ୍ରୟାସ କରାଯାଇଥିଲା। କିନ୍ତୁ, ଫେସବୁକ୍‌ ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଫେସବୁକ୍‌ ଇଣ୍ଡିଆ ଦଳ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଆଦର୍ଶରେ ବିଶ୍ୱାସ ରଖୁଥିବା ଲୋକମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ କରିଛନ୍ତି ଶ୍ରୀ ପ୍ରସାଦ।

ସମ୍ବନ୍ଧିତ ଖବର