ନୂଆଦିଲ୍ଲୀ : ଆଜି ଏକ ଅଭାବନୀୟ ଘଟଣାକ୍ରମରେ ହରିୟାଣାର ସୋନିପତ୍ରେ ଜଣେ ପ୍ରଫେସରଙ୍କୁ କଲେଜ ଭିତରେ ଗୁଳି କରି ହତ୍ୟା କରାଯାଇଛି। ସହିଦ ଦଲବୀର ସିଂହ ସରକାରୀ କଲେଜ୍ର ଇଂରାଜୀ ଅଧ୍ୟାପକ ରାଜେଶ ସିଂହ ଷ୍ଟାଫ୍ ରୁମ୍ରେ ବସିଥିବା ବେଳେ କଲେଜ୍ର ଜଣେ ଛାତ୍ର ମୁହଁରେ କପଡ଼ା ବାନ୍ଧି ହଠାତ୍ ତାଙ୍କ ଉପରକୁ ୪ ରାଉଣ୍ଡ୍ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ହିଁ ପ୍ରଫେସରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ଅଭିଯୁକ୍ତ ଛାତ୍ର ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛି। ତେବେ କେଉଁ କାରଣ ପାଇଁ ଅଭିଯୁକ୍ତ ଛାତ୍ର ଏଭଳି ହତ୍ୟାକାଣ୍ଡ ଘଟାଇଛି ତାହା ଜଣାପଡ଼ିନଥିବା ବେଳେ ଘଟଣାର ପର୍ଦ୍ଦାଫାସ ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଦେଇଛି। ଜଣାଯାଇଛି ଯେ ଅଭିଯୁକ୍ତ ଛାତ୍ର ଉକ୍ତ କଲେଜ୍ର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢ଼ୁଛି। ପ୍ରଫେସର ଜଣକ ସେକ୍ଟର ୨୩ ସୋନିପତ ବାସିନ୍ଦା ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତକୁ ଧରିବା ଲାଗି ୨ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ହରିୟାଣାରେ ଗତ ଜାନୁଆରି ମାସରେ ମଧ୍ୟ ଏକ ଘରୋଇ ସ୍କୁଲ୍ର ପ୍ରିନ୍ସପାଲ୍ଙ୍କୁ ସ୍କୁଲ୍ର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଗୁଳି କରି ହତ୍ୟା କରିଥିଲା।
ପ୍ରଫେସରଙ୍କୁ ହତ୍ୟା:ହତ୍ୟାକାରୀ ଛାତ୍ର ଫେରାର
/sambad/media/post_attachments/wp-content/uploads/2018/03/proffessor-shot-dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)