ବିନା ବିଦ୍ୟୁତ୍‌ରେ ଜୀବନ ବିତାଇଛନ୍ତି ପ୍ରଫେସର୍‌

ପୁନେ: ଯୁଗରେ ବିନା ବିଦ୍ୟୁତ‌୍‌ରେ ଜୀବନ ବିତାଇବା ଅସମ୍ଭବ ମନେ ହୋଇପାରେ। କିନ୍ତୁ ପୁନେର ଜଣେ ମହିଳା ପ୍ରଫେସର ପୂରା ଜୀବନ ବିଦ୍ୟୁତ୍‌ ବିନା ବିତାଇ ଏହାକୁ ସମ୍ଭବ କରି ଦେଖାଇଛନ୍ତି। ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ୍ୟ।
୭୯ ବର୍ଷୀୟା ହେମା ସାନେଙ୍କୁ ଲୋକେ ପାଗଳୀ ବୋଲି କହୁଥିଲେ ମଧ୍ୟ ସେ ତାଙ୍କର ଜୀବନଶୈଳୀକୁ ପରିବର୍ତ୍ତନ କରିନାହାନ୍ତି। ଏଭଳି ଜୀବନ ବିତାଇବାର କାରଣ ହେଉଛି ପ୍ରକୃତି ଏବଂ ପରିବେଶ ପ୍ରତି ଥିବା ତାଙ୍କ ପ୍ରେମ। ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦ ବିଜ୍ଞାନରେ ଡକ୍ଟୋରେଟ୍‌ ହାସଲ କରିଥିବା ସାନେ ଗରୱର ମହାବିଦ୍ୟାଳରେ ପ୍ରଫେସର ଭାବେ ବହୁତ ବର୍ଷ କାର୍ଯ୍ୟ କରିଛନ୍ତି। ତଥାପି ପ୍ରକୃତି ପ୍ରେମୀ ସାନେ ବୁଧୱର ପେଠଠାରେ ଥିବା ଏକ ଛୋଟ କୁଡ଼ିଆ ସଦୃଶ ଘରେ ଜୀବନ ବିତାଉଛନ୍ତି। ତାଙ୍କ ଘର ଚାରି ପାଖେ କେବଳ ଗଛ ଏବଂ ପକ୍ଷୀଙ୍କୁ ଦେଖିବାକୁ ମିଳେ। ତାଙ୍କର ଦିନ ଆରମ୍ଭ ହୁଏ ପକ୍ଷୀଙ୍କ ରାବରୁ ଏବଂ ତାଙ୍କ ଘରକୁ ଆଲୋକିତ କରୁଥିବା ଦୀପରେ ଶେଷ ହୁଏ। ସ‌େନେ ଉଦ୍ଭିଦ ବିଜ୍ଞାନ ଏବଂ ପରିବେଶ ଉପରେ ବିଭିନ୍ନ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ବିଭିନ୍ନ ଗଛ ଓ ପକ୍ଷୀଙ୍କ ସଂପର୍କରେ ତାଙ୍କର ଅଗାଧ ଜ୍ଞାନ ରହିଛି। ପକ୍ଷୀମାନେ ତାଙ୍କର ବନ୍ଧୁ। ତାଙ୍କର ସମ୍ପତ୍ତି କହିଲେ ଗୋଟିଏ କୁକୁର, ଦୁଇଟି ବିଲେଇ ଏବଂ ଗୋଟିଏ ନେଉଳ। ଲୋକେ ତାଙ୍କୁ ଯେତେବେଳେ କହନ୍ତି ଘର ବିକ୍ରି କରିଦିଅନ୍ତୁ ବହୁତ ଟଙ୍କା ପାଇବେ, ସେ କହନ୍ତି ‘ଏହି ଗଛ ଏବଂ ପକ୍ଷୀଙ୍କ ଦେଖାରେଖା କିଏ କରିବ? ମୁଁ ଏଠୁ ଯିବି ନାହିଁ। ମୁଁ ଏମାନଙ୍କ ସହ ରହିବିI’ ବିଦ୍ୟୁତ୍‌ ବିନା ସେ କେମିତି ରହୁଛନ୍ତି ବୋଲି ପଚରାଗଲେ ସେ ଓଲଟା ପ୍ରଶ୍ନ କରନ୍ତି “ବିଦ୍ୟୁତ୍‌ ସହ ଆପଣମାନେ କେମିତି ଜୀବନ ବିତାଉଛନ୍ତି? ସେ ଆହୁରି ମଧ୍ୟ କହନ୍ତି, ସେ କାହାକୁ କୌଣସି ବାର୍ତ୍ତା କିମ୍ବା ଶିକ୍ଷା ଦେବାକୁ ଚାହାନ୍ତିନି ବରଂ ନିଜ ଜୀବନ ନିଜ ଢଙ୍ଗରେ ବିତାଇବାକୁ ସେ ପସନ୍ଦ କରନ୍ତି। ଏହାରି ସମର୍ଥନରେ ସେ ଗୌତମ ବୁଦ୍ଧଙ୍କ ବାଣୀ ‘ନିଜ ଜୀବନର ରାସ୍ତା ନିଜେ ଖୋଜ’କୁ ସ୍ମରଣ କରନ୍ତି।

ସମ୍ବନ୍ଧିତ ଖବର